ଜିଏସ୍‌ଟି ମାଡ଼ରେ ଗୃହିଣୀ ଘାଇଲା: ବଢ଼ିଲା ସବ୍‌ସିଡି ଓ ଅଣ ସବ୍‌ସିଡି ଗ୍ୟାସ ଦର

ଭୁବନେଶ୍ୱର: ଗୃହିଣୀଙ୍କ ଉପରେ ଜିଏସ୍‌ଟି ମହଙ୍ଗା ମାଡ଼। ଜୁଲାଇ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ପ୍ରାୟ ୩୨ ଟଙ୍କା ବୃଦ୍ଧି ପାଇଛି। ଯେଉଁ ରାଜ୍ୟ ସରକାର ଗ୍ୟାସ ଉପରେ ଟିକସ ଲାଗୁ କରୁନାହାନ୍ତି ସେଠାରେ ଦର ୧୨ରୁ ୧୫ ଟଙ୍କା ଯାଏଁ ବଢିବ। ଉଭୟ ସବ୍‌ସିଡି ଓ ଅଣ ସବ୍‌ସିଡ଼ି ଉପଭୋକ୍ତା ଏହାଦ୍ୱାରା ପ୍ରଭାବିତ ହେବେ। ଅନ୍ୟପକ୍ଷରେ ସରକାର ସବ୍‌ସିଡି ପରିମାଣକୁ ୧୧୯ ଟଙ୍କା ୮୫ ପଇସାରୁ ୧୦୭ ଟଙ୍କାକୁ ହ୍ରାସ କରିଛନ୍ତି। ତେଣୁ ଏଲପିଜି ଦର ଉପରେ ଉଭୟ ଜିଏସ୍‌ଟି ଓ ସବ୍‌ସିଡି ହ୍ରାସର ପ୍ରଭାବ ରହିବ।

ପୂର୍ବରୁ ରାଜ୍ୟ ସରକାର ଗୁଡ଼ିକ ରୋଷେଇ ଗ୍ୟାସ ଉପରେ ୨ରୁ ୪ ପ୍ରତିଶତ ଭାଟ୍ ଲାଗାଉଥିଲେ। ତେବେ ଜିଏସ୍‌ଟି ଲାଗୁ ଦ୍ୱାରା ୫ ପ୍ରତିଶତ ଟିକସ ଲାଗିବ। ଫଳରେ ଗ୍ୟାସ୍ ଦର ବୃଦ୍ଧି ପାଇବ। ସେହିପରି ଏଲ୍‌ପିଜି କନେକସନ୍ ଫି’ ମଧ୍ୟ ବଢିବ। କାରଣ ଆଗରୁ ସର୍ଭିସ ଟ୍ୟାକ୍ସ ୧୫ ପ୍ରତିଶତ ଥିଲା ବେଳେ ଜିଏସ୍‌ଟି ଲାଗୁ ହେଲା ପରେ ଏହା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି।

ଜିଏସ୍‌ଟି ଲାଗୁ ଦ୍ୱାରା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ପ୍ରାୟ ୬୯ ଟଙ୍କା ହ୍ରାସ ପାଇବ। କାରଣ ଆଗରୁ କମର୍ସିଆଲ ସିଲିଣ୍ଡର ଉପରେ ୮ ପ୍ରତିଶତ ଏକ୍ସାଇଜ୍ ଓ ୧୪.୫ ପ୍ରତିଶତ ଭ୍ୟାଟ୍ ମିଶାଇ ମୋଟ ୨୨.୫ ପ୍ରତିଶତ ଟିକସ ଲାଗୁ ଥିଲା। ମାତ୍ର ଜିଏସ୍‌ଟି ଦ୍ୱାରା ଏହା ୧୮ ପ୍ରତିଶତକୁ ଖସି ଆସିଛି। ତେଣୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡ ପିଛା ଆଗରୁ ୧୧ଶହ ୨୧ ଟଙ୍କା ଥିବା ବେଳେ ଏଣିକି ଏକ ହଜାର ୫୨ ଟଙ୍କା ପଡ଼ିବ।