ରାଉରକେଲାରୁ ୫ ସିମି ଆତଙ୍କୀ ଗିରଫ

sim terrorist
ରାଉରକେଲାରୁ ଗିରଫ ସିମି ଆତଙ୍କୀ ଅମଜାଦ୍, ମେହବୁବ୍, ସଲିକ ଓ ଜାକିର

ରାଉରକେଲା/ଭୁବନେଶ୍ୱର: ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ୫ ଆତଙ୍କବାଦୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଛି। ଗିରଫ ୫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କଠାରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ୍ ଜବତ କରାଯାଇଛି। ଏହା ସହିତ ସେମାନଙ୍କଠାରୁ ନକଲି ପରିଚୟପତ୍ର, ନକଲି ପ୍ୟାନ୍ କାର୍ଡ ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଏକ ଗାଡି (ନଂ. ୟୁପି୧୬ଏଡି୩୮୯୬) ଓ ବାଇକ୍‌ ବି ଜବତ କରିଛି ପୋଲିସ୍।

ଗିରଫ ଆତଙ୍କବାଦୀମାନେ ହେଲେ ମେହବୁବ୍ ଖାନ୍, ଜାକିର ହୁସେନ୍‌, ଅମଜାଦ ଖାନ୍, ମହମ୍ମଦ ସଲ୍ଲିକ ଓ ମେହବୁବ ଖାନର ମା’ ନଜମା ବିବି। ମେହବୁବ, ଜାକିର, ଅମଜଦ୍ ଓ ସଲ୍ଲିକ ୨୦୧୩ ମସିହାରେ ମଧ୍ୟପ୍ରଦେଶର ଖଣ୍ଡୱା ଜେଲ୍ ଭାଙ୍ଗି ଫେରାର୍ ହୋଇଯାଇଥିଲେ। ସେତେବେଳେ ପାଟ୍ରୋଲିଂ କରୁଥିବା ଜଣେ ପୋଲିସ ସବ୍‌ଇନ୍ସପେକ୍ଟର ଓ ଜଣେ ହୋମଗାର୍ଡଙ୍କୁ ହତ୍ୟାକରି ଅସ୍ତ୍ରଶସ୍ତ୍ର ଲୁଟ୍‌ କରିଥିଲେ। ପରେ ସନ୍ଦିଗ୍ଧମାନେ ଆସି ସମ୍ବଲପୁରରେ ୭ଦି ରହିଥିବା ସୂଚନା ମିଳିଥିଲା। ମଧ୍ୟପ୍ରଦେଶ ପୋଲିସ ଓ ଓଡ଼ିଶା ପୋଲିସର ମିଳିତ ଚଢ଼ାଉ ବେଳେ ଏମାନେ ଖସି ଯାଇଥିଲେ।୨୦୧୪ରେ ତେଲେଙ୍ଗାନାର ଏକ ବ୍ୟାଙ୍କରୁ ୪୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ୨୦୧୫ ଏପ୍ରିଲ ୨ରେ ତେଲେଙ୍ଗାନା ଜିଲ୍ଲା ସୂର୍ଯ୍ୟପେଟାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ ଗ୍ୟାଙ୍ଗର ସଦସ୍ୟ। ୨୦୦୮ରୁ ୨୦୧୧ ମଧ୍ୟରେ ଫୈଜଲ ଗ୍ୟାଙ୍ଗ୍ ମଧ୍ୟପ୍ରଦେଶରେ ଅନେକ ବ୍ୟାଙ୍କ ଡକାୟତି, ଲୁଟ୍, ସାମ୍ପ୍ରଦାୟିକ ଦଙ୍ଗାରେ ସାମିଲ ଥିଲେ।

ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି), ତେଲେଙ୍ଗାନା ପୋଲିସ୍, ରାଉରକେଲା ପୋଲିସ୍ ଓ ଇଣ୍ଟେଲିଜେନ୍ସ ବ୍ୟୁରୋର ମିଳିତ ଚଢ଼ାଉରେ ସେମାନଙ୍କୁ ଗିରଫ କରାଯାଇଛି। କୁରେସି ମହଲା ଅଞ୍ଚଳରେ ସେମାନେ ଏକ ଘରେ ରହୁଥିଲେ। ୩ ଘଣ୍ଟା ଧରି ଗୁଳି ବିନିମୟ ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଗୁଳିବିନିମୟ ଦ୍ୱାରା ଆତଙ୍କବାଦୀଙ୍କୁ ଗିରଫ କରିବାରେ ଏହା ଓଡ଼ିଶାରେ ପ୍ରଥମ ଘଟଣା।

କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି, ଏହି ଆତଙ୍କବଦୀଙ୍କ ଗତିବିଧି, କାର୍ଯ୍ୟକଳାପ ଓ ଓଡ଼ିଶା ରହଣୀର ତଦନ୍ତ ହେବ। ଏସ୍‌ଟିଏଫ୍‌ର ଏକ ୮ଜଣିଆ ଟିମ୍‌ ରାଉରକେଲା ଗସ୍ତ କରିଛନ୍ତି। ଆସନ୍ତାକାଲିଠାରୁ ସେମାନଙ୍କୁ ଜେରା କରାଯିବ। ସମସ୍ତଙ୍କୁ ୧୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଡିଜି ଶର୍ମା କହିଛନ୍ତି।

ଏହି ଆତଙ୍କୀଙ୍କ କାର୍ଯ୍ୟକଳାପ ଉପରେ ୮ମାସ ହେଲା ଗୁଇନ୍ଦା ବିଭାଗ ନଜର ରଖିଥିଲା। ୪ ମାସ ହେଲା ଏମାନେ ରାଉରକେଲାରେ ଆସି ରହୁଥିଲେ। ବିଭନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସହରରେ ଏମିତି ଲୁଚି ରହିଥିନ୍ତି ବୋଲି ସୂଚନା ମିଳିଛି।

ଗିରଫ ମେହବୁବ ଖାନ ଓରଫ ଗୁଡ୍ଡୁ (୨୭), ଅମଜାଦ୍ ଖାନ୍ ଓରଫ୍ ଦାଉଦ୍ (୨୭), ଜାକିର ଖାନ୍ ଓରଫ ସାଦିକ (୩୨) ଓ ସଲିକ (୩୩) ହେଉଛନ୍ତି ମଧ୍ୟପ୍ରଦେଶର ଖଣ୍ଡୱାର ବାସିନ୍ଦା। ଏମାନେ ସମସ୍ତେ ବିନଜୌର ବୋମା ବିସ୍ଫୋରଣ ମାମଲାରେ ଜଡ଼ିତ। ଏମାନଙ୍କୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଏନ୍‌ଆଇଏ ଘୋଷଣା କରିଥିଲା।

ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି,‘ରାଉରକେଲାରୁ ଗିରଫ ହୋଇଥିବା ଆତଙ୍କୀମାନେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ସିମିର ବିଭିନ୍ନ କାର୍ଯ୍ୟକଳାପ ସହିତ ଜଡ଼ିତ ଥିଲେ। ସେମାନେ ମିଛ ପରିଚୟ ଦେଇ ରାଉରକେଲାରେ ବସବାସ କରୁଥିଲେ। ଡକାୟତି ଆଦି କରି ସଂଗଠନ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେମାନେ ରାଉରକେଲାରେ ରହୁଥିଲେ। ଏମାନେ ସମସ୍ତେ ମଧ୍ୟପ୍ରଦେଶର ଲୋକ। ସେମାନେ ୪/୫ ମାସ ହେଲା ରାଉରକେଲାରେ ରହି ଆସୁଥିଲେ। ନ୍ୟାଶନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍‌ଆଇଏ)ର ହିଟ୍ ଲିଷ୍ଟରେ ମଧ୍ୟ ସେମାନେ ରହିଥିଲେ।’

ଡିଜିପି କହିଛନ୍ତି ଯେ ଗତକାଲି ରାତିରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ହୋଇଥିବା ଅପରେସନ୍‌ରେ ଏସଓଜିର ଟାକ୍‌ଟିକାଲ୍ ୟୁନିଟ୍‌କୁ ପ୍ରଥମ ଥର ପାଇଁ ଉପଯୋଗ କରାଯାଇଥିଲା ଓ ଏହା ସଫଳ ସାବ୍ୟସ୍ତ ହୋଇଛି। ସେହିପରି ରାଉରକେଲାରେ ଏହି ଆତଙ୍କବାଦୀମାନଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ସହଯୋଗ କରିଥିଲେ। ତାଙ୍କ ନାଁ ନବୀନ ସାହୁ। ବୃତ୍ତିରେ ସେ ଜଣେ ଏଲ୍‌ଆଇସି ଏଜେଣ୍ଟ୍।

ରାଜ୍ୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଗିରଫ ଆତଙ୍କବାଦୀମାନେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଡକାୟତି ଘଟଣାରେ ସଂପୃକ୍ତ ଥିଲେ। ସାରା ଦେଶରେ ଘଟିଥିବା ୧୭ଟି ବିସ୍ଫୋରଣରେ ସେମାନଙ୍କର ସଂପୃକ୍ତି ଥିଲା। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସହିତ ମହାରାଷ୍ଟ୍ର, ତେଲେଙ୍ଗାନା ଓ ତାମିଲନାଡୁ ଆଦି ରାଜ୍ୟରେ ସିମିର ବିଭିନ୍ନ କାର୍ଯ୍ୟକଳାପରେ ସେମାନଙ୍କର ସଂପୃକ୍ତି ରହିଥିବା ସୂଚନା ମିଳିଛି।

ଗିରଫ ଆତଙ୍କବାଦୀମାନଙ୍କୁ ଏକ ଅଜଣା ସ୍ଥାନରେ ରଖି ପଚରାଉଚରା କରାଯାଉଛି। ସେମାନେ ରହୁଥିବା ଘରର ମାଲିକାଣୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଛି।

୫ ସିମି ଆତଙ୍କବାଦୀଙ୍କୁ ଧରିବା ପାଇଁ ୩ ଘଣ୍ଟା ଧରି ଗୁଳିବିନିମୟ ହୋଇଥିବା ସତ୍ତ୍ୱେ ଏଥିରେ କହି ହତାହତ ହୋଇନାହାନ୍ତି। କୌଣସି ସାଧାରଣ ଲୋକ ବି ଏଥିରେ ଆହତ ହୋଇଥିବା ନେଇ ସୂଚନା ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ମାତ୍ର ୫ କିଲୋମିଟର ଦୂର ପଶ୍ଚିମଗଛ ଗାଁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ (୩୭)କୁ ଗିରଫ କରାଯାଇଥିଲା। ଅବଦୁର ରେହମାନ ଅଲକଏଦା ଇଣ୍ଡିଆନ୍ ସବ୍‌କଣ୍ଟିନେଣ୍ଟ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ଓଡ଼ିଶା ପୋଲିସ୍ ସହାୟତାରେ ଦିଲ୍ଲୀ ପୋଲିସ୍ ତାକୁ ଗିରଫ କରିଥିଲା।

ଏହା ପୂର୍ବରୁ ପୁରୀରେ ଟ୍ରେନ୍ ପୋଡ଼ି ଘଟଣାରେ ଜଣେ ସନ୍ଦିଗ୍ଧ ଆତଙ୍କୀ ସୁବାସ ରାମଚନ୍ଦ୍ରନଙ୍କୁ ଗିରଫ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି

ରାଉରକେଲାରୁ ୫ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସଂପର୍କରେ ଆଜି ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓ ପୂରା ଘଟଣା ସଂପର୍କରେ ଅବଗତ କରିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଡିଜିପି ସଚିବାଳୟରେ ଗୃହ ସଚିବଙ୍କୁ ଭେଟି ଥିଲେ।

ପଚରାଉଚରା କରିବାକୁ ଆସନ୍ତାକାଲି ଆସିବ ଏନଆଇଏ ଓ ମଧ୍ୟପ୍ରଦେଶ ପୋଲିସ୍

ଗିରଫ ୫ ସିମି ଆତଙ୍କବାଦୀଙ୍କୁ ପଚରାଉଚରା କରିବା ପାଇଁ ଆସନ୍ତାକାଲି ଏନ୍‌ଆଇଏ ଓ ମଧ୍ୟପ୍ରଦେଶ ପୋଲିସ୍‌ର ଏକ ଟିମ୍ ଓଡ଼ିଶା ଆସିବ। ପଶ୍ଚିମାଞ୍ଚଳ ଆଇଜି ରାଧାକୃଷ୍ଣ ଶର୍ମା ଏହି ସୂଚନା ଦେଇଛନ୍ତି।

କେମିତି ଥିଲା ଅପରେସନ୍ ‘ଫୈଜଲ ଫାଇଭ୍‌’

ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆରମ୍ଭ ହୋଇଥିଲା ଅପରେସନ୍ ଫୈଜଲ ଫାଇଭ୍‌। ରାଉରକେଲା ନାଲା ରୋଡ଼ ଅଞ୍ଚଳରେ ପହଞ୍ଚିଥିଲା ଓଡ଼ିଶା ପୋଲିସର ଗୁଇନ୍ଦା, ସ୍ପେଶାଲ୍ ଅପରେସନ ଗ୍ରୁପ୍, ଷ୍ଟେଟ୍‌ ଟାକଟିକାଲ୍ ୟୁନିଟ୍ ଓ ତେଲାଙ୍ଗାନା ପୋଲିସ୍‌ର ମିଳିତ ଟିମ୍‌। ରାଉରକେଲା ପୋଲିସ ପୂରା ଅଞ୍ଚଳକୁ କର୍ଡନ କରିଥିଲା। ଦ୍ୱିତୀୟ କର୍ଡନରେ ତେଲେଙ୍ଗାନା ପୋଲିସ୍ ଓ ଏସ୍‌ଓଜି ଯବାନ ରହିଥିଲେ। ଏମାନଙ୍କ ସହ ସାମିଲ ହୋଇଥିଲେ ଷ୍ଟେଟ୍‌ ଟାକଟିକାଲ ୟୁନିଟର ସାର୍ପ ସୁଟର, ସ୍ନିଫର ଟିମ୍‌, ବୋମା ନିଷ୍ପ୍ରିୟକାରୀ ଓ ଆଣ୍ଟି ସୁଇସାଇଡ୍ ସ୍କ୍ୱାଡ୍। ସନ୍ଦିଗ୍ଧ ସିମି ସଦସ୍ୟମାନେ ରହୁଥିବା ଘରେ ପରିବାର ସହ ରହୁଥିଲେ ଘର ମାଲିକ। ତେଣୁ ପୂରା ସତର୍କତାର ସହ ଆରମ୍ଭ ହୋଇଥିଲା ଅପରେସନ୍।

ଏସ୍‌ଓଜି ଓ ଏସ୍‌ଟିୟୁ କମାଣ୍ଡୋ ଗେଟ୍‌ ଆଗରେ ରହି ସନ୍ଦଗ୍ଧଙ୍କୁ ଡାକି ଥିଲେ। ହେଲେ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଘରେ ପଶିଥିଲେ ଅପରେସନ ଟିମ୍‌। ଏହି ସମୟରେ ଘରେ ଥିବା ଜଣେ ମହିଳାଙ୍କ ସମେତ ୪ ଜଣ ସନ୍ଦଗ୍ଧ ଆତ୍ମସମର୍ପଣ କରି ଦେଇଥିଲେ। ହେଲେ ଅନ୍ୟ ରୁମ୍‌ରେ ଥିବା ଜଣେ ସନ୍ଦିଗ୍ଧ ଗୁଳି ଚଳାଇଥିଲା। ଫଳରେ ବାଧ୍ୟ ହୋଇ ଏସ୍‌ଓଜି ଓ ଏସ୍‌ଟିୟୁ ଟିମ୍‌ ପଲଟା ଗୁଳିମାଡ଼ କରିଥିଲେ।

ଅପରେସନ୍ ଫୈଜଲ୍ ଫାଇଭ୍‌ରେ ଏସ୍‌ଟିୟୁ ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନାଇଟ୍‌ ଭିଜନ୍‌ ଡିଭାଇସ୍‌, ଥର୍ମାଲ୍‌ ଡିଭାଇସ୍‌ ବ୍ୟବହାର କରାଯାଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ଏହା ଥିଲା ଓଡ଼ିଶା ପୋଲିସର ପ୍ରଥମ ଗୁଳି ବିନିମୟ। ଏଥିରେ ପ୍ରଥମ ଥର ପାଇଁ ନବଗଠିତ ଏସ୍‌ଟିୟୁକୁ ସାମିଲ କରାଯାଇଥିଲା। ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ। ଅପରେସନର ସବୁ ସ୍ତରକୁ ସେ ତଦାରଖ କରୁଥିଲେ।