ବଢ଼ିଲା ଗଣଶିକ୍ଷକ ଓ ଶିକ୍ଷାସହାୟକଙ୍କ ପାରିଶ୍ରମିକ

ଭୁବନେଶ୍ୱର: ବଢ଼ିଲା ଗଣ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ପାରିଶ୍ରମିକ। ଗଣ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ପାରିଶ୍ରମିକ ବୃଦ୍ଧି କରିବା ନେଇ ମନ୍ତ୍ରୀ ସ୍ତରୀୟ ସବ୍ କମିଟିରେ ହୋଇଥିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ଘୋଷଣା କରିବା ଅବସରରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ  ରାଜ୍ୟରେ ବିଭିନ୍ନ ସ୍କୁଲରେ କାର୍ଯ୍ୟ କରୁଥିବା ୮୫ ହଜାରରୁ ଅଧିକ ଗଣ ଶିକ୍ଷକ ଓ ଶିକ୍ଷା ସହାୟକ ଉପକୃତ ହେବେ। ପିଛିଲା ଭାବେ ୨୦୧୫ ଡିସେମ୍ବରରୁ ଏହି ନୂତନ ବର୍ଦ୍ଧିତ ପାରିଶ୍ରମିକ ଲାଗୁ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତିକୁ ଗଣ ଶିକ୍ଷକ ଓ ଶିକ୍ଷା ସହାୟକମାନେ ସ୍ୱାଗତ କରିଛନ୍ତି।

ପୂର୍ବରୁ ରାଜ୍ୟରେ କାର୍ଯ୍ୟରତ ୨୭,୬୪୫ ଶିକ୍ଷା ସହାୟକ ଇପିଏଫ୍ ବ୍ୟତୀତ ମାସିକ ୫,୨୦୦ ଟଙ୍କା ପାରଶ୍ରମିକ ପାଉଥିଲେ। ଏବେ ସେମାନଙ୍କର ପାରିଶ୍ରମିକକୁ ମାସିକ ୨,୨୦୦ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ ଇପିଏଫ୍ ବ୍ୟତୀତ ସେମାନେ ମାସକୁ ୭,୪୦୦ ଟଙ୍କା ପାଇବେ।

ସେହିପରି କାର୍ଯ୍ୟରତ ୩୪,୮୪୬ କନିଷ୍ଠ ଶିକ୍ଷକ ଇପିଏଫ୍ ବ୍ୟତୀତ ମାସିକ ୭୦୦୦ ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେଠାରୁ ଇପିଏଫ୍ ବ୍ୟତୀତ ୯,୨୦୦ ଟଙ୍କା ପାଇବେ। ଅର୍ଥାତ ସେମାନଙ୍କ ମାସିକ ପାରିଶ୍ରମିକରେ ୨,୨୦୦ ଟଙ୍କା ବୃଦ୍ଧି କରାଯାଇଛି।

ରାଜ୍ୟରେ ବିଭିନ୍ନ ବର୍ଗର ୨୨,୫୧୨ ଗଣଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୫୬ ଜଣ ତାଲିମପ୍ରାପ୍ତ ମାଟ୍ରିକୁଲେଟ୍। ସେମାନଙ୍କୁ ମାସିକ ଇପିଏଫ୍ ବ୍ୟତୀତ ୩,୭୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ସେମାନେ ମାସିକ ୬,୪୦୦ ଟଙ୍କା ପାଇବେ। ରାଜ୍ୟରେ ଥିବା ୧୬,୮୬୮ ଜଣ ତାଲିମପ୍ରାପ୍ତ ଯୁକ୍ତ ଦୁଇ ପାସ୍ କରିଥିବା ଗଣଶିକ୍ଷକଙ୍କୁ ମାସିକ ଇପିଏଫ୍ ବାଦ୍ ୪୦୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ଏବେ ଏହାକୁ ବୃଦ୍ଧି କରାଯାଇ ୭୦୦୦ ଟଙ୍କା କରାଯାଇଛି। ଅଣତାଲିମପ୍ରାପ୍ତ ମାଟ୍ରିକୁଲେଟ୍ ପାସ୍ ଗଣଶିକ୍ଷକମାନେ ମାସକୁ ଇପିଏଫ୍ ବ୍ୟତୀତ ୩,୨୦୦ ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୫,୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟରେ ଏହି ବର୍ଗରେ ୫୩୬ ଜଣ ଶିକ୍ଷକ ରହିଛନ୍ତି।

୪,୮୫୨ ଜଣ ଅଣତାଲିମପ୍ରାପ୍ତ ଯୁକ୍ତ ଦୁଇ ପାସ୍ କରିଥିବା ଗଣଶିକ୍ଷକ ମାସିକ ଇପିଏଫ୍ ବ୍ୟତୀତ ୩,୭୦୦ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେଠାରୁ ସେମାନେ ମାସକୁ ଇପିଏଫ୍ ବ୍ୟତୀତ ୬,୪୦୦ ଟଙ୍କା ପାରିଶ୍ରମିକ ପାଇବେ।

ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ପୂର୍ବରୁ ଏହି ୮୫,୦୦୩ ଜଣ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କ ପାଇଁ ବାର୍ଷିକ ୬୪୮.୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲା। ଏବେ ଏହି ପରିମାଣ ୯୨୫.୫୯କୁ ବୃଦ୍ଧି କରାଯିବାକୁ ଆକଳନ କରାଯାଇଛି।