ଗଠନ ହେବ ଓଡ଼ିଶା ଖଣି ଉତ୍ତୋଳନ ନିଗମ

ଭୁବନେଶ୍ୱର: ରାଜ୍ୟରେ ଓଡ଼ିଶା ଖଣି ଉତ୍ତୋଳନ ନିଗମ ଗଠନ ହେବ। ଖଣି ଉତ୍ତୋଳନ ନୀତି ଅନୁସାରେ ଏହି ନିଗମ କାର୍ଯ୍ୟକ୍ଷମ ହେବ। ନିଗମର ମୋଡ଼ାଲିଟି ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣି ନିଲାମୀ ପ୍ରକ୍ରିୟାରେ ସରଳୀକରଣ ପାଇଁ ଏହି ନିଗମ କାର୍ଯ୍ୟ କରିବ।

ସଂଶୋଧିତ ଏମ୍ଏମଡିଆର ଆକ୍ଟ ଅନୁସାରେ ଜି-ଥ୍ରୀ ଲେଭେଲ୍ ଖଣିକୁ ଜି-ଟୁ ଲେବେଲକୁ ଆଣିବା, ଏମ୍ଏମଡିଆର ଆକ୍ଟର ମିନେରାଲ୍ସ ରୁଲସ ଅନୁସାରେ ଜିପିଏସ୍ ସର୍ଭେ ଅନୁସାରେ ଜିଓଲୋଜିକାଲ୍ ରିପୋର୍ଟ ପ୍ରସ୍ତୁତ ସାଙ୍ଗକୁ ଖଣି ଚିହ୍ନଟ କରିବା କ୍ଷେତ୍ରରେ ଏହି ନିଗମ କାର୍ଯ୍ୟ କରିବ। ସେହିପରି ବନ୍ଦ ଥିବା ଖଣି ଚାଲୁ କରିବା, ବନ୍ଦ ଖଣି ଗୁଡ଼ିକ ଲିଜ୍ ଅବଧିକୁ ବୃଦ୍ଧି କରିବା ଓ ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ଏହି ନିଗମ କାର୍ଯ୍ୟ କରିବ ବୋଲି ଆଜି ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ଖଣି ସଚିବ ଆର୍ କେ ଶର୍ମା।

ଖଣି ସଚିବ ଆର୍.କେ ଶର୍ମା କହିଛନ୍ତି, ରାଜ୍ୟ ସରକାର ଏକ ଖଣି ଉତ୍ତୋଳନ ନୀତି ଆଣିଥିଲେ। ଏଥିରେ ଓଡ଼ିଶା ଖଣି ଉତ୍ତୋଳନ ନିଗମ ଗଠନ କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥା ପ୍ରକାରେ ଓଡ଼ିଶା ଖଣି ଉତ୍ତୋଳନ ନିଗମର ରୂପରେଖ ଓ ବିଧିବ୍ୟବସ୍ଥା ନେଇ ଆଜି ଏକ ବୈଠକ ବସିଥିଲା। ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଆଧାରରେ ଆନୁଷ୍ଠାନିକ ପ୍ରସ୍ତାବ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।

ସେ କହିଛନ୍ତି, ଓଡ଼ିଶା ଖଣି ଉତ୍ତୋଳନ ନିଗମ ମୁଖ୍ୟତଃ ରାଜ୍ୟରେ ଖଣି ଉତ୍ତୋଳନ ଦିଗରେ କାର୍ଯ୍ୟ କରିବ। ଏହା ଓଡ଼ିଶା ମାଇନିଂ କର୍ପୋରେସନର ଏକ ଶତପ୍ରତିଶତ ସବସିଡିଆରୀ କଂପାନୀ ହେବ। ତେଣୁ ଏହାର ବ୍ୟବସାୟିକ କାର୍ଯ୍ୟକ୍ରମ ଖୁବ୍ କମ୍ ରହିବ। ତେବେ ଏହାର ପ୍ରୋମୋସନାଲ୍ କାର୍ଯ୍ୟକ୍ରମ ଅଧିକ ରହିବ।