ଘରୋଇ କଂପାନୀଙ୍କଠାରୁ ବିଜୁଳି କିଣିବେ ସରକାର; ଲୋଡ଼ିଲେ ଓଇଆରସିର ଅନୁମତି

ଭୁବନେଶ୍ୱର: ବିଜୁଳି କିଣିବେ ନାହିଁ ବୋଲି ଦମ୍ଭୋକ୍ତି କରୁଥିବା ସରକାର ଏବେ ଦୋ ଛକିରେ। ସଙ୍କଟ ଟାଳିବାକୁ ବିଜୁଳି ଉତ୍ପାଦନ କରୁଥିବା ଘରୋଇ କମ୍ପାନୀଙ୍କ ପାଖରୁ ବିଜୁଳି କିଣିବାକୁ ସ୍ଥିର କରିଛନ୍ତି ସରକାର। ତେବେ ଏଥିପାଇଁ ଦରକାର ଓଇଆରସିର ଅନୁମତି। କେଉଁ ଦରରେ ବିଜୁଳି କିଣା ହେବ ସେ ନେଇ  ଓଇଆରସି ପାଖରେ ଆବେଦନ କରିଛି ଗ୍ରୀଡକୋ। ଜେଏସପିଏଲ, ନବଭାରତ ଭେନଞ୍ଚର, ଭୂଷଣ ଷ୍ଟିଲ, ଆଦିତ୍ୟ ଆଲୁମିନା ପରି ୨୪ଟି ଘରୋଇ କମ୍ପାନୀଙ୍କୁ ପାଖରୁ ୟୁନିଟ୍ ପିଛା ୨ ଟଙ୍କ। ୭୫ ପାଇସା ଦରରେ ବିଜୁଳି କିଣିବାକୁ ଚାହୁଁଛି ଗ୍ରୀଡକୋ। ତେବେ ଘରୋଇ କମ୍ପାନୀଗୁଡିକ ଏହି ଦରରେ ରାଜି ନାହାନ୍ତି।  ସେମାନେ ୩ଟଙ୍କ। ୨୦ ପଇସା କିମ୍ୱା ତା ଠାରୁ ଅଧିକ ଦାବି କରୁଛନ୍ତି। ୨ଟଙ୍କା ୭୫ ଦରରେ ବିଜୁଳି କିଣିଲେ ପ୍ରାୟ ୩ଶହ କୋଟି ଟଙ୍କାର ଅଧିକ ବୋଝ ପଡ଼ିବ। ୩ ଟଙ୍କ। ୨୦ରେ କିଣାହେଲେ ଏହା ୪୦୦ କୋଟି ଟପିଯିବ।

ତେବେ ପ୍ରଶ୍ନ ଉଠୁଛି ଚଢାଦରରେ ବିଜୁଳି କିଣା ହେଲେ ବୋଝ ଉପଭୋକ୍ତାଙ୍କ ଉପରେ ପଡିବ କି ? ଆସନ୍ତା ବର୍ଷରେ ଟାରିଫ ନିର୍ଦ୍ଧାରଣ ବେଳେ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବା ଆଶଙ୍କା ରହିଛି।

ଏପଟେ ଘୋଷିତ ଓ ଅଘୋଷିତ ବିଜୁଳି କାଟ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ। ପୂଜା ପରେ କଂଗ୍ରେସ ଏନେଇ ବିଜୁଳି ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ

ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି ଯେ ସରକାର ବିଦ୍ୟୁତ୍ କିଣନ୍ତୁ ଅବା ଯାହା କରନ୍ତୁ, ଲୋକଙ୍କୁ କିନ୍ତୁ ବିଦ୍ୟୁତ୍ ଯୋଗାଇ ଦିଅନ୍ତୁ। ତା’ସହିତ ଚାଷୀମାନଙ୍କୁ ସରକାର ରିହାତି ଦରରେ ମଧ୍ୟ ବିଦ୍ୟୁତ୍ ଯୋଗାଇ ଦିଅନ୍ତୁ। ବିଦ୍ୟୁତ୍ ସେବା ଯୋଗାଇବାରେ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ବିଜୁଳି ସତ୍ୟାଗ୍ରହ ଆରମ୍ଭ କରିଛି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏ ଦିଗରେ ପଦକ୍ଷେପ ନିଆଯାଉଛି।

ବିଦ୍ୟୁତ୍ ସଂକଟକୁ ନେଇ ଦିନରେ ଏବେ ବିଜୁଳିକାଟ୍ ହେଉଥିବା ବେଳେ ରାତିରେ ଏହା ସାମୟିକ ବନ୍ଦ ରହିଛି। ତେବେ ନଭେମ୍ୱର ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା ପରେ ଆଗକୁ ବିଜୁଳି କାଟ  ହେବ ନା ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିସାରିଛନ୍ତି।