ଗୁଗୁଲ୍ ହେଲ୍ପଲାଇନ୍ ବଞ୍ଚାଇଲା ଯୁବତୀଙ୍କ ଜୀବନ: ଜାଣନ୍ତୁ କେମିତି

ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ । ଗୋଟିଏ କ୍ଲିକ୍‌ରେ ସାରା ବିଶ୍ୱର ଖବର ହାତପାହାନ୍ତାରେ ପହଞ୍ଚାଇପାରି ଏହା ଆଜି ବେଶ୍ ଜନାଦୃତ ହୋଇପାରିଛି । ଲୋକେ ଛୋଟଛୋଟ କଥା ଜାଣିବା ପାଇଁ ଗୁଗୁଲର ସହାୟତା ନେଉଥିବା ନଜର ରହିଛି। ନିକଟରେ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ମନସ୍ଥ କରିବା ପରେ ଆତ୍ମହତ୍ୟାର ବିଭିନ୍ନ ପନ୍ଥା ଜାଣିବାକୁ ଏହାର ସହଯୋଗ ଲୋଡିଥିଲେ । ମୃତ୍ୟୁର ବାଟ ଖୋଜୁଖୋଜୁ କିନ୍ତୁ ଗୁଗୁଲ ଦେଖାଇଥିଲା ବଞ୍ଚିବାର ରାହ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ ।

ଘଟଣାଟି ହେଉଛି ସହାରନପୁରର। ୨୪ବର୍ଷୀୟ ଜଣେ ଯୁବତୀ ପ୍ରେମରେ ବିଫଳ ହେବା ପରେ ଧର୍ଯ୍ୟହାରା ହୋଇ ଆତ୍ମହତ୍ୟା କରିବାକୁ ଯାଉଥିଲେ । ସହାରନପୁରରୁ ୪କିମି ଦୂର ଯମୁନା ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିଲେ। ଡେଇଁବା ପୂର୍ବରୁ ସେ ଗୁଗୁଲରେ ମରିବାର କିଛି ମାଧ୍ୟମ ଜାଣିବାକୁ ଚାହିଁ ‘କେମିତି ଆତ୍ମହତ୍ୟା କରନ୍ତି’ (how to commit suicide?)  ଲେଖି ଗୁଗଲ୍ ସର୍ଚ୍ଚ କରିଥିଲେ।

ଏହା ପରେ ତାଙ୍କ ଫୋନ୍ ସ୍କ୍ରିନରେ ଗୋଟେ ହେଲ୍ପ ଲାଇନ ନମ୍ବର ଆସିଲା । ନମ୍ବରରେ କଲ୍ କରିବା ପରେ ଫୋନ୍‌ଟି ଯାଇ ଲାଗିଥିଲା ଡେପୁଟି ଇନ୍ସପେକ୍ଟର ଜେନରାଲ(ଡିଆଇଜି)ଙ୍କ ପାଖରେ। ସେ ତାଙ୍କୁ ଦେଖାକରି ଏ ସମ୍ପର୍କରେ ସିଧାସଳଖ ଆଲୋଚନା କରିବା ପାଇଁ କହିଥିଲେ। କିଛି ସମୟ ପରେ ଯୁବତୀ ଜଣଙ୍କ ଯାଇ ଡିଆଇଜିଙ୍କ ଅଫିସରେ ପହଁଞ୍ଚିଥିଲେ। ସେଠାରେ ପହଞ୍ଚି ସେ ଡିଆଇଜିଙ୍କୁ ସମସ୍ତ କଥା ଜଣାଇଥିଲେ। ସେ ପ୍ରେମ କରୁଥିବା ଯୁବକଜଣକ ସରକାରୀ ଚାକିରୀ ପାଇବା ପରେ ପରିବାର ଲୋକଙ୍କ ଚାପରେ ଆସି କେମିତି ତାଙ୍କ ସହ ସବୁ ସମ୍ପର୍କ ତୁଟାଇଦେଇଥିଲା ସେ ସମ୍ପର୍କରେ ଜଣାଇଥିଲେ । ଏସବୁ ଶୁଣିବା ପରେ ଡିଆଇଜି ସେ ଯୁବକଙ୍କୁ କଲ୍ କରି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।