ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଗୋଟିଏ ଦିନରେ କଂଗ୍ରେସର ଦୁଇଟି କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଫେବୃୟାରୀ ୨ରେ ଭୁବନେଶ୍ୱରର ପିଏମଜିରେ ଯୁବ କଂଗ୍ରେସ ଗର୍ଜନ ସମାବେଶ କରୁଛି। ସେହି ଏକାଦିନରେ ଏଆଇସିସି ନିର୍ଦ୍ଦେଶରେ ପିସିସି ଏମଜିଏନଆରଜିଏସର ୧୦ବର୍ଷ ପୂର୍ତ୍ତି ପାଳନ ଉତ୍ସବ କରାଯିବ। ତେବେ ବ୍ୟକ୍ତିଗତ ସ୍ୱାର୍ଥ ନ ରଖି ଗୋଟିଏ ସ୍ଥାନରେ ୨ଟି କାର୍ଯ୍ୟକ୍ରମ କରିବାକୁ ପିସିସିକୁ ପରାମର୍ଶ ଦେଇଛନ୍ତି ସମନ୍ୱୟ କମିଟିର ସଦସ୍ୟ ନିରଞ୍ଜନ ପଟ୍ଟନାୟକ।

ଅଣ୍ଡାମାଡ ବିବାଦ ପରେ କଂଗ୍ରେସରେ ଦେଖାଦେଇଛି ସମାବେଶ ବିବାଦ। ଯୁବ କଂଗ୍ରେସ ଗର୍ଜନ ସମାବେଶ ପାଇଁ ପ୍ରସ୍ତୁତ। ଫେବୃୟାରୀ ୨ରେ ପିଏମଜିରେ ଏହି ସମାବେଶ ହେବ। ଏଥିରେ ଏଆଇସିସିର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ ଓ ମନୀଷ ତିୱାରୀଙ୍କ ପରି ତୁଙ୍ଗ ନେତା ଯୋଗଦେବେ। ତେବେ ଏହି ଦିନ ଏମଏନଜିଆରଜିଏର ୧୦ ବର୍ଷ ପୂର୍ତ୍ତି ପାଇଁ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏଆଇସିସି ନିର୍ଦ୍ଦେଶ ଦେଇଛି। ପୂର୍ବରୁ ଯୁବ ସମାବେଶର ତାରିଖ ଗୋଟିଏ ଥର ପରିବର୍ତ୍ତନ ହୋଇଥିବାରୁ ଏଥର ୨ ତାରିଖରେ ଏହା ହେବ ନିଶ୍ଚିତ ବୋଲି କହିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ଲୁଲୁ ମହାପାତ୍ର।

ଅନ୍ୟପକ୍ଷରେ ଏଆଇସିସିର ନିର୍ଦ୍ଦେଶ ଅନୁସାରେ ପିସିସି କରିବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ କିପରି ହେବ ଓ କେଉଁଠି ହେବ ସେ ନେଇ କିଛି କହିବାକୁ ମନା କରିଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଦଳର ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, ୨ଟି କାର୍ଯ୍ୟକ୍ରମକୁ ଗୋଟିଏ ସ୍ଥାନରେ କରିବାକୁ ଯୋଜନା ହେଉଛି।

ପୂର୍ବରୁ ଅଣ୍ଡାମାଡକୁ ନେଇ ଲୁଲୁ-ପିସିସି ମୁଖାପାତ୍ରଙ୍କ ଭିତରେ ଥିଲା ଭିନ୍ନ ମତ। ଏବେ ସମାବେଶକୁ ନେଇ ଦ୍ୱନ୍ଦ୍ୱ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।