ଚିଟଫଣ୍ଡ ଠକେଇ: ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁକୁ ୯ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ରୋଜଭ୍ୟାଲି କଂପାନୀର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ୯ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଚନ୍ତି। ଆଜି ଗୌତମଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା।

ଗୌତମଙ୍କୁ ଗତକାଲି ସିବିଆଇ ରିମାଣ୍ଡରେ ନେବା ପରେ କୋଲକତାରୁ ଭୁବନେଶ୍ୱରକୁ ଆଣିଥିଲା। ତାଙ୍କୁ ଭୁବନେଶ୍ୱରରେ ସିବିଆଇର ଏସଆଇଟି ୟୁନିଟରେ ରଖାଯାଇଥିଲା।

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରି ସାରିଛି। ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସମେତ ଅନ୍ୟ ତିନି ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି କଂପାନୀ ବିଭିନ୍ନ ସ୍କିମରେ ସାରା ଦେଶରେ ଲୋକଙ୍କଠାରୁ ୧୭ ହଜାର କୋଟି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଓଡ଼ିଶାରୁ କଂପାନୀ ପ୍ରାୟ ୫୦୦ କୋଟି ଟଙ୍କା ହଡ଼ପ କରିଛି। ସିବିଆଇ ପଚରାଉଚରା ବେଳେ ଓଡ଼ିଶାରେ ତାଙ୍କ କଂପାନୀ କରିଥିବା ଠକେଇ ସଂପର୍କରେ ଅନେକ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

୨୦୧୫ ମାର୍ଚ୍ଚ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା। ସେ କୋଲକାତା ଜେଲରେ ଥିଲେ।