କ୍ୟାବ୍‌ରେ ଯାତ୍ରା କରୁଛନ୍ତି କି? ସରକାର ଦେବେ ଏମିତି ସୁବିଧା

ନୂଆଦିଲ୍ଲୀ: ଓଲା ଓ ଉବେରରେ ଯାତ୍ରା କରିବା ସମୟରେ ନିଜ ସହଯୋଗୀ ବାଛିବାର ସୁବିଧା ଦେବେ ସରକାର। ଡ୍ରାଇଭର ମାନଙ୍କ ଦ୍ୱାରା ବଢୁଥିବା ଅସଦାଚରଣ ଓ ଦୁଷ୍କର୍ମକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେବେ ସରକାର। କେନ୍ଦ୍ର ସଡ଼କ ଏବଂ ରାଜମାର୍ଗ ମନ୍ତ୍ରାଳୟ ଟ୍ୟାକ୍ସି ସମୂହକୁ ନେଇ ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଏକ ବୈଠକ କରିବେ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ମାନଙ୍କ ସୁରକ୍ଷା ବଢାଇବା ପାଇଁ ସହଯୋଗୀ ବାଛିବାର ଏକ ବିକଳ୍ପ ରଖାଯିବ। ଗତ ସପ୍ତାହରେ କେନ୍ଦ୍ରୀୟ ମହିଳା ଏବଂ ବାଳ ମନ୍ତ୍ରାଳୟ ମନ୍ତ୍ରୀ ମେନକା ଗାନ୍ଧୀ ଏନେଇ ପ୍ରସ୍ତାବ ଦେଇଥିଲେ।

ଗାନ୍ଧୀଙ୍କ କହିବା ଅନୁଯାୟୀ ତାଙ୍କ ମନ୍ତ୍ରାଳୟ ଏହି ମାମଲାରେ ସଡ଼କ ମନ୍ତ୍ରାଳୟ ସହ କଥାହେବ। ଯଦିଓ ବୁଧବାର ଦିନ ହୋଇଥିବା ବାଳ ଏବଂ ମହିଳା ମନ୍ତ୍ରାଳୟ ବୈଠକରେ ଏ ସମ୍ପର୍କରେ କିଛି ଆଲୋଚନା ହୋଇନଥିଲା। କିନ୍ତୁ ଏହି ବୈଠକରେ ଟ୍ୟାକ୍ସିରେ ବସୁଥିବା ମହିଳାଙ୍କ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। 

ଜୁନ୍‌୫ ତାରିଖ ଦିନ ଜଣେ ଓଲା କ୍ୟାବ ଡ୍ରାଇଭର ବେଙ୍ଗଲୁରୁର ଜଣେ ମହିଳାଙ୍କ ସହ ଦୁର୍ବବ୍ୟହାର କରିବା ସହ ତାଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ। ପୋଲିସ ଉକ୍ତ ଡ୍ରାଇଭରକୁ ଗିରଫ କରିଥିଲା। ସରକାରଙ୍କ ଏହି ପ୍ରସ୍ତାବକୁ  ଉବେର ପକ୍ଷରୁ ସହମତି ମିଳିଥିବା ବେଳେ ଓଲା ପକ୍ଷରୁ ଏଥିପାଇଁ ସମୟ ମଗାଯାଇଛି।