ଗ୍ରୀଷ୍ମ ପ୍ରବାହ ଜାରି: ଅସହ୍ୟ ତାତିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ୪୬ ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଭବାନୀପାଟଣା ତାପମାତ୍ରା ୪୫.୭ ଓ ବଲାଙ୍ଗିର ୪୫.୫ ଡିଗ୍ରୀ ସେଲସିୟସ ଥିଲା। ରାଜ୍ୟର୧୦ଟି ସହରର ତାପମାତ୍ର ୪୩ ଡିଗ୍ରୀ ଉପରେ ରହିଥିଲା। ତେବେ ଗତକାଲି ଅପେକ୍ଷା ଉକକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଛି। କଟକ, ଭୁବନେଶ୍ୱର, ପାରାଦ୍ୱୀପ, ପୁରୀ ଓ ଗୋପାଳକୁର ଆଦି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା।

ସମ୍ବଲପୁର ୪୪.୬ ଡିଗ୍ରୀ ସେଲସିୟସ ଥିବାବେଳେ ତାଳଚେର ୪୪.୫, ହୀରାକୁଦ ୪୩.୭, ଝାରସୁଗୁଡା ୪୩.୬, ମାଲକାନଗିରି ୪୩.୪, ଅନୁଗୋଳ ୪୩.୧, ବାରିପଦା ୪୨.୪, କେନ୍ଦୁଝରଗଡ଼ ୪୨.୩,  ଫୁଲବାଣୀ ୪୧ ଓ ଢେଙ୍କାନାଳ ୪୦.୩ ଡିଗ୍ରୀ ରହିଥିଲା।

କଟକ ଓ ଭୁବନେଶ୍ୱରର ତାପମାତ୍ରା ଯଥାକ୍ରମେ ୩୭.୫ ଓ ୩୯.୨ ଡିଗ୍ରୀ ସେଲସିୟସ ରହିଥିଲା।

ଚାନ୍ଦବାଲି ତାପମାତ୍ରା ଆଜି ଥିଲା ୩୯.୭ ଡିଗ୍ରୀ। ସେହିପରି ବାଲେଶ୍ୱର ୩୮.୨, କୋରାପୁଟ ୩୮, ପୁରୀ ୩୧.୧, ପାରାଦ୍ୱୀପ ୩୧.୩ ଓ ଗୋପାଳପୁର ୩୦.୬ ଡିଗ୍ରୀ ସେଲସିୟସ ଥିଲା।

ଆଜି ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଦେଖା ଦେଇଥିବା କାଳବୈଶାଖୀ ବର୍ଷା ଯୋଗୁଁ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅପରାହ୍ନରେ ନୟାଗଡ଼ ବ୍ଲକର କିଛି ସ୍ଥାନ ସମେତ ରଣପୁର ଓ ଓଡ଼ଗାଁ ଅଞ୍ଚଳରେ କୁଆପଥର ମାଡ଼ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ନୟାଗଡ଼ ଉପକଣ୍ଠ ଜାମୁସାହିରେ ବଜ୍ରପାତରେ ୫ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଜଣେ ଲୋକ ଆହତ ହୋଇଛନ୍ତି।