ହିନ୍ଦୋଳ ସାତମାଇଲରେ ବସ୍-ଅଟୋ ମୁହାଁମୁହିଁ ଧକ୍କା, ଛାତ୍ରୀଙ୍କ ସମେତ ୨ ମୃତ

ଢେଙ୍କାନାଳ: ହିନ୍ଦୋଳ ସାତମାଇଲ ଛକରେ ଏକ ବସ ଓ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋ ମଧ୍ୟରେ ଧକ୍କା ହୋଇ ଜଣେ ଛାତ୍ରୀଙ୍କୁ ସମେତ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୯ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଆହତ ଶିଶୁ ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଦୁର୍ଘଟଣା ପରେ ସାତମାଇଲ୍ ଛକରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଗୁରୁତର ପିଲାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ଗୁରୁତର ଶିଶୁମାନଙ୍କ ବ୍ରେନ୍ ଇଞ୍ଜୁରି ହୋଇଥିବା ଆଶଙ୍କା କରାଯାଉଛି। ସମସ୍ତଙ୍କ ସିଟି ସ୍କାନିଂ କରାଯିବା ସହ ଏକ୍ସରେ କରାଯାଇଛି। କଟକ ବଡ଼ ମେଡିକାଲରେ ଆହତ ଶିଶୁଙ୍କ ଅଭିଭାବକ ଓ ସ୍କୁଲର ଶିକ୍ଷକମାନେ ଅଛନ୍ତି। ସେଠାରେ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଛି।