ହୀରାକୁଦ ପୋଲିସ ବର୍ବରତା: ହାତଗୋଡ଼ ବାନ୍ଧି ଥାନାରେ ନାବାଳକକୁ ନିସ୍ତୁକ ମାଡ଼

hirakud minor-boy-attacked 2ସମ୍ବଲପୁର: ହୀରାକୁଦ ପୋଲିସର ଏକ ବର୍ବରତା ପଦାକୁ ଆସିଛି। ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଥାନାରେ ଭିତରେ ଜଣେ ନାବାଳିକାକୁ ଅକଥନୀୟ ନିର୍ଯାତନା ଦେଇଛି ହୀରାକୁଦ ଥାନା ପୋଲିସ। ଗୋଡ଼ ବାନ୍ଧି ଦେଇ ମୁଣ୍ଡକୁ ତଳକୁ କରି ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଦେଖିବାକୁ ମିଳୁଛି। ଏପରି ଏକ ଭିଡିଓ ଓଟିଭିକୁ ମିଳିବା ପରେ ଘଟଣାଟି ପଦାକୁ ଆସିଛି। ଏପରି ଘଟଣା ଗତ ସେପ୍ଟେମ୍ବର ୧୯ ତାରିଖରେ ହୀରାକୁଦ ଥାନାରେ ଘଟିଥିବା ଜଣାପଡିଛି।

ପୋଲିସର ବର୍ବରତା ସବୁ ସୀମା ଟପିଯାଇଛି। ନାବାଳକକୁ ପୋଲିସ ଗୋଇଠା ମାରିବାକୁ ମଧ୍ୟ ପଛାଇ ନାହାନ୍ତି ଥାନା ଅଧିକାରୀ। ମାଡ଼ ଖାଉଥିବା ନାବାଳକ ନେହୁରା ହୋଇଥିଲେ ମଧ୍ୟ ପୋଲିସ ଅଧିକାରୀ ଶୁଣି ନ ଥିଲେ। ଜଣେ ନୁହେଁ ୪ଜଣ ପୋଲିସ କର୍ମଚାରୀ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ମହିଳା ଅଧିକାରୀ ଜୋତା ପିନ୍ଧି ନାବାଳକ ଉପରେ ଚଢିଯାଇଛନ୍ତି। ନାବାଳକର ଗୋଡ ବନ୍ଧା ହୋଇଥିବା ବେଳେ ଲାଠିରେ ପାଦକୁ ଜଣେ ପୋଲିସ ଅଧିକାରୀ ମାଡ ମାରୁଛନ୍ତି। ପୁରା ୨ଦିନ ଏପରି ନିର୍ଯାତନା ଦେବା ପରେ କୋର୍ଟଟାଲାଣର ଭୟ ଦେଖାଇ ନାବାଳକର ପରିବାରକୁ ୭ ହଜାର ଟଙ୍କ। ଲାଞ୍ଚ ମଧ୍ୟ ମଗାଯାଇଛି। ନାବାଳକର ମା’ ୬ହଜାର ଟଙ୍କା ଲାଞ୍ଚ ଦେବା ପରେ ପୋଲିସ ତାକୁ ଛାଡିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପଦାକୁ ଆସିବା ପରେ ସମ୍ବଲପୁର ଏସପି ଅଖିଳେଶ ସିଂ ୧୨ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ବୁର୍ଲା ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଘଟଣାକୁ ନେଇ ସ୍ୱେଚ୍ଛାସେବୀ ବିଶ୍ୱପ୍ରିୟ କାନୁନଗୋ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଅନଲାଇନରେ ଘଟଣାର ତଦନ୍ତ କରିବାକୁ ଆବେଦନ କରିଛନ୍ତି। ନାବାଳକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଫୌଜଦାରୀ ମାମଲା ରୁଜୁ ଓ ଅଭିଯୁକ୍ତ ପୋଲିସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଥାନା ଅଧିକାରୀ ଟଙ୍କା ନେବା ଘଟଣାକୁ ଅସ୍ୱୀକାର କରିଛନ୍ତି।

ନିର୍ଯାତନାର ଶିକାର ନାବାଳକ କହିଛନ୍ତି, ବିଶ୍ୱକର୍ମା ପୂଜାଦିନ ଜଣେ ଠିକାଦାରଙ୍କ ସହ ଗଣ୍ଡୋଗୋଳ ହୋଇଥିଲା। ଦୁଇଟି ଗାଡିରେ ପୋଲିସ ଯାଇ ମୋତେ ଥାନାକୁ ଉଠାଇ ଆଣିଥିଲେ। ଜୋତା ପିନ୍ଧି ଗଳା ଉପରେ ଚଢି ଯିବା ସହ ହାତଗୋଡ଼ ବାନ୍ଧି ପିଟିଲେ। ଛାଡି ଦେବାକୁ ଯେତେ ନେହୁରା ହେଲେ ବି କେହି ଶୁଣି ନ ଥିଲେ। ଗଣ୍ଡୋଗୋଳ ବେଳେ ମୋବାଇଲ ଲୁଟ କରିଥିବା ମାନିବାକୁ ବାଧ୍ୟ କରିଥିଲେ। ଦୁଇଦିନ ରଖି ମାଡ଼ ମାରିବା ପରେ ମା’ ୬ହଜାର ଟଙ୍କା ଦେଇ ଥାନାରୁ ଆଣିଥିଲେ।

ନାବାଳକଙ୍କ ମା’ କହିଛନ୍ତି, ଖବର ପାଇ ଥାନାକୁ ଯିବାରେ ପୁଅ ତଳେ ପଡିଥିବା ଦେଖିଥିଲି। ୭ହଜାର ଟଙ୍କା ଦେଲେ ଛାଡିବୁ ବୋଲି ଥାନାରେ କହିଲେ। ଗରିବ ଲୋକ ଏତେ ଟଙ୍କା ଦେଇ ପାରିବି ନି କହିଲେ ମଧ୍ୟ ଶୁଣି ନ ଥିଲେ। ଟଙ୍କା ନ ଦେଲେ ତୋ ପୁଅକୁ କୋର୍ଟ ଚାଲାଣ କରିଦେବୁ ବୋଲି ଧମକ ଦେଇଥିଲେ। ୬ହଜାର ଟଙ୍କା ଦେବା ପରେ ୧୯ ତାରିଖ ରାତିରେ ଛାଡିଥିଲେ।

ଆଇନ କହୁଛି କୌଣସି ନାବାଳକ ଅଭିଯୁକ୍ତକୁ ପୋଲିସ ମାଡ ମାରି ପାରିବନି। ପୋଲିସ ଡ୍ରେସରେ ବି ତାକୁ ଜେରା କରାଯାଇପାରିବନି। ପୋଲିସ ତୁରନ୍ତ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବ। ମାତ୍ର ଏ କ୍ଷେତ୍ରରେ ସବୁ ଆଇନର ଉଲ୍ଲଘଂନ କରାଯାଇଛି। ଥାନା ଭିତରେ ପୋଲିସ କିଭଳି ନାବାଳକକୁ ମାଡ଼ ମାରିଲା ତାକୁ ନେଇ ଏବେ ପ୍ରଶ୍ନ ଉଠୁଛୁ।

ପୂର୍ବତନ ପୋଲିସ ଡିଜି ଏସ.ଏନ. ତିୱାରୀ କହିଛନ୍ତି, ଏହା ଅତ୍ୟନ୍ତ ଅମାନୁଷିକ କଥା ଓ ଆଇନର ଖୋଲା ଉଲ୍ଲଂଘନ। ଏପରି କାର୍ଯ୍ୟରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।