ବାଳକକୁ ନିର୍ଯାତନା: ହୀରାକୁଦ ଥାନା ଆଇଆଇସି ଓ ୨ କନଷ୍ଟେବଲ୍ ନିଲମ୍ବିତ, ଜଣେ ହୋମଗାର୍ଡ ବହିଷ୍କୃତ

Sabitriସମ୍ବଲପୁର: ହୀରାକୁଦ ଥାନାରେ ନାବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ଆଇଆଇସି ସାବିତ୍ରୀ ବଳଙ୍କ ସହିତ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଜଣେ ହୋମଗାର୍ଡଙ୍କୁ ବହିଷ୍କାର କରାଯାଇଛି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଲ ହେଲେ ଅମ୍ବୁଜ ସାହୁ ଓ ଜିତ୍ ନାରାୟଣ ପୋଢ଼। ସେହିପରି ବହିଷ୍କୃତ ହୋଇଥିବା ହୋମଗାର୍ଡଙ୍କ ନାଁ ଶିବ ଗୌଡ଼।

ଆଜି ବୁର୍ଲା ଏସଡିପିଓଙ୍କଠାରୁ ପ୍ରାଥମିକ ରିପୋର୍ଟ ପାଇବା ପରେ ସମ୍ବଲପୁର ଏସପି ହୀରାକୁଦ ଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ। ୨ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଥିଲେ। ତା’ସହିତ ହୋମଗାର୍ଡ ଶିବ ଗୌଡ଼ଙ୍କୁ ବହିଷ୍କାର କରିଥିଲେ। ତେବେ ସନ୍ଧ୍ୟାରେ ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ଆଇଆଇସିଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି। ଡିଜିପି କହିଛନ୍ତି, ଓଟିଭି ଭିଜୁଆଲରୁ ନାବାଳକକୁ ଆଇଆଇସି ନିର୍ଯାତନା ଦେଇଥିବା ନେଇ ପ୍ରମାଣ ମିଳିଛି।

ଗତକାଲି ଓଟିଭି ପ୍ରଥମେ ଏହି ଘଟଣା ସଂପର୍କିତ ଏକ ଭିଡିଓ ଫୁଟେଜ୍ ପ୍ରସାରଣ କରିଥିଲା। ସମ୍ବଲପୁର ଏସପି ଗତକାଲି ହିଁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ୧୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏସଡିପିଓ ନାବାଳକର ମା’ଙ୍କୁ ଭେଟି ଘଟଣା ସଂପର୍କରେ ପଚରାଉଚରା କରିଥିଲେ। ତଦନ୍ତ ପରେ ସେ ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଏସପିଙ୍କୁ ତାଙ୍କ ରିପୋର୍ଟ ଦାଖଲ କରିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ମାନବାଧିକାର କମିଶନ ଆଜି ଏ ଘଟଣାରେ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି ଏବଂ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି।

ଏକ ମାରପିଟ୍ ଘଟଣାରେ ପୋଲିସ ନାବାଳକକୁ ଥାନାକୁ ଆଣି ନିସ୍ତୁକ ମାଡ଼ ମାରିଥିଲା। ତିନି ମାସ ତଳେ ଘଟିଥିବା ଏହି ଘଟଣାର ଭିଜୁଆଲ ପ୍ରଥମେ ଗତକାଲି ‘ଓଟିଭି’ରେ ପ୍ରସାରିତ ହୋଇଥିଲା। ଥାନା କର୍ମଚାରୀ ନାବାଳକର ଗୋଡ଼ ବାନ୍ଧି ଉପରକୁ ଟେକି ପିଟିବା ସହ ଜୋତାରେ ମାରିବାର ଦୃଶ୍ୟ ଏହି ଭିଜୁଆଲରେ ରହିଛି। ଆଇଆଇସି ପିଲାଟିକୁ ଗୋଇଠା ମାରୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ୬ ହଜାର ଟଙ୍କା ଦେବା ପରେ ପୁଅକୁ ଥାନାରୁ ଛଡ଼ାଯାଇଥିବା ନେଇ ନାବାଳକଙ୍କ ମା’ ଅଭିଯୋଗ କରିଥିଲେ।