ଓଆରଭି ଆଇନ କାର୍ଯ୍ୟକାରୀ ଦାବିରେ ବିଧାୟକଙ୍କ ଧାରଣା, ବିଧାନସଭା ଅଚଳ

ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ଆଜି ବିଧାନସଭା ପୁଣି ଆରମ୍ଭ ହୋଇଥିବା ବେଳେ ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଧାରଣାରେ ବସିଥିବା ଏସ୍‌ସି ଓ ଏସ୍‌ଟି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭରୁ ଅଚଳାବସ୍ଥା ଦେଖାଯାଇଥିଲା। ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଧାରଣାରେ ବସିଥିବା ଏସ୍‌ସି ଓ ଏସ୍‌ଟି ବିଧାୟକଙ୍କ ନାରାବାଜି ଯୋଗୁଁ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। […]

sc-st-mla

sc-st-mla

Rakesh Mallick
  • Published: Monday, 16 May 2016
  • Updated: 16 May 2016, 05:53 PM IST

Sports

Latest News

sc-st-mlaଭୁବନେଶ୍ୱର: ଦୁଇ ଦିନର ବିରତି ପରେ ଆଜି ବିଧାନସଭା ପୁଣି ଆରମ୍ଭ ହୋଇଥିବା ବେଳେ ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଧାରଣାରେ ବସିଥିବା ଏସ୍‌ସି ଓ ଏସ୍‌ଟି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭରୁ ଅଚଳାବସ୍ଥା ଦେଖାଯାଇଥିଲା। ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଧାରଣାରେ ବସିଥିବା ଏସ୍‌ସି ଓ ଏସ୍‌ଟି ବିଧାୟକଙ୍କ ନାରାବାଜି ଯୋଗୁଁ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହା ପରେ ବି ଗୃହ କାର୍ଯ୍ୟ ଚାଲି ନ ପାରିବାରୁ ବାଚସ୍ପତି ଏହାକୁ ସାଢ଼େ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ତେବେ ତା’ପରେ ବି ସ୍ୱାଭାବିକ ଅବସ୍ଥା ନ ଫେରିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ଅଚଳାବସ୍ଥା ମଧ୍ୟରେ ଅପରାହ୍ନ ୪ଟାରେ ଗୃହରେ ଜଷ୍ଟିସ୍ ପି.କେ ମହାନ୍ତି କମିଶନ ରିପୋର୍ଟ ଓ ଗଞ୍ଜାମ ଫାଶିପଡ଼ା ଗୁଳିକାଣ୍ଡ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୨୦୦୬ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରୁଥିଲେ ଜଷ୍ଟିସ୍ ମହାନ୍ତି କମିଶନ। ସେହିଭଳି ୨୦୧୨ ମାର୍ଚ୍ଚ ୩୧ ଗଞ୍ଜାମ ଜିଲ୍ଲା ଫାଶିପଡ଼ା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିଲେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍‌।  ଏହି ଦୁଇ ରିପୋର୍ଟ ଉପସ୍ଥାପିତ ହେବା ସହିତ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧିତ) ବିଲ୍-୨୦୧୬ ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି। ଏହା ପରେ ବାଚସ୍ପତି ଗୃହକୁ ପୁଣି ଥରେ ସନ୍ଧ୍ୟା ୬ଟା ପରେ ୬ଟା ୫୦ ପର୍ଯ୍ୟନ୍ତ ମୁଲତବି କରିଥିଲେ। ଏହାପରେ ବଜେଟ୍‌ ଅଧିବେଶନକୁ ୪ ଦିନ ଆଗରୁ ବନ୍ଦ କରିଦିଆଯିବା ନେଇ ଘୋଷଣା କରିଥିଲେ।

ବିଜେପି ବିଧାୟକ ରବି ନାଏକ କହିଛନ୍ତି,“୫ ଦଫା ଦାବି ନେଇ ଆଦିବାସୀ ଓ ଦଳିତ ବିଧାୟକମାନେ ୧୧ ତାରିଖରୁ ଧାରଣାରେ ବସିଛନ୍ତି। ଶନିବାର ଓ ରବିବାର ଛୁଟି ସତ୍ତ୍ୱେ ଧାରଣା ଜାରି ରହିଥିଲା। ତେବେ ଇତିମଧ୍ୟରେ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନାହିଁ। ଏହା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ବି ଆଲୋଚନା ପାଇଁ ବିଧାୟକମାନଙ୍କୁ ଡାକି ନାହାନ୍ତି। ଦାବି ପୂରଣ ହେଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ। ବିଧାନସଭାର ଚଳିତ ଅଧିବେଶନରେ ଦାବି ପୂରଣ ନ ହେଲେ ଆସନ୍ତା ଅଧିବେଶନରେ ବି ଆମେ ଧାରଣା ଜାରି ରଖିବୁ।”

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି,“ ଛଅ ଦିନ ହେଲାଣି ଏସ୍‌ସି ଓ ଏସ୍‌ଟି ବିଧାୟକମାନେ ଧାରଣାରେ ବସିଛନ୍ତି। କିନ୍ତୁ ସରକାରଙ୍କର କୌଣସି ପ୍ରତିକ୍ରିୟା ନାହିଁ। କେବଳ ବାଚସ୍ପତି ଓ ମନ୍ତ୍ରୀମାନେ ଧାରଣାରୁ ଉଠିଯିବାକୁ ଔପଚାରିକ ଅନୁରୋଧ କରୁଛନ୍ତି। କିନ୍ତୁ ଆମର ୫ ଦଫା ଦାବି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କେହି କହୁ ନାହାନ୍ତି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ।”

ସେ କହିଛନ୍ତି,“ରାଜ୍ୟର ଚାଳିଶ ପ୍ରତିଶତ ଲୋକ ହେଉଛନ୍ତି ଆଦିବାସୀ। ଆମେ ସେମାନଙ୍କର ପ୍ରତିନିଧିତ୍ୱ କରୁଛୁ। କିନ୍ତୁ ସେମାନଙ୍କ ଦାବି ଶୁଣିବାକୁ ସରକାର ନାରାଜ। ଆମର ଦାବି ପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ କିଛି ରାୟ ତଥା ଆଉ ଯେଉଁ ସବୁ ବାଧା କଥା କୁହାଯାଉଛି ତାହା ପୂରା ମିଛ।”

ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଆଜି ବିରୋଧୀ ଦଳ ବିଧାୟକଙ୍କ ଯୋଗୁଁ ଗୃହ ବନ୍ଦ ହୋଇନାହିଁ। ବାଚସ୍ପତି ଗୃହକୁ ଆସିବା ମାତ୍ରେ ତରବରିଆ ଭାବେ ମୁଲତବି ଘୋଷଣା କରିଥିଲେ। ସତେ ଯେମିତି ତାଙ୍କୁ ଝାଡ଼ା ଅବା ପରିସ୍ରା ଲାଗୁଥିଲା। ସରକାରୀ ଦଳର ନିର୍ଦ୍ଦେଶରେ ସେ ଗୃହକୁ ମୁଲତବି କରିଥିଲେ।”

ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ମେଡିକାଲ୍‌ ଓ ଇଂଜିନିୟରିଂ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରି ତଥା ଆଉ କିଛି ଦାବି ପୂରଣ କରିବା ନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ୬ ଦିନ ହେଲାଣି ଧାରଣାରେ ବସିଛନ୍ତି।  ପ୍ରଥମେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିଲେ। ବିଧାନସଭା ସୁରକ୍ଷାକର୍ମୀମାନେ ବଳପୂର୍ବକ ସେମାନଙ୍କୁ ସେଠାରୁ ଉଠାଇ ଦେଇଥିଲେ। ସେଠାରୁ ହଟିବା ପରେ ବିଧାୟକମାନେ ବାଚସ୍ପତିଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତାଙ୍କ ହସ୍ତକ୍ଷେପ ପରେ ସେମାନେ ବିଚସ୍ପତିଙ୍କ ପ୍ରକୋଷ୍ଠ ସମ୍ମୁଖରୁ ଉଠିଯାଇ ଗତ ୧୨ ତାରିଖରୁ ଗୃହରେ ତାଙ୍କ ପୋଡିୟମ୍‌ ତଳେ ଧାରଣାରେ ବସିଛନ୍ତି। ଶନିବାର ଓ ରବିବାର ଛୁଟି ଥିବା ସତ୍ତ୍ୱେ ସେମାନେ ଧାରଣାରେ ବସିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଧାନସଭାରେ ଅଚଳାବସ୍ଥା ପାଇଁ ରାଜ୍ୟପାଳ ବାଚସ୍ପତିଙ୍କୁ ତଥ୍ୟ ମାଗିଛନ୍ତି। କାହିଁକି ଗୃହ ଚାଲିପାରୁନାହିଁ, ଲିଖିତ ଭାବେ ଅବଗତ କରିବାକୁ ରାଜ୍ୟପାଳ ଜଣାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos