ବେଆଇନ୍ ଖଣି ନେଇ ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବେଆଇନ୍‌ ଖଣି ଲିଜ୍‌ଧାରୀଙ୍କ ପାଖରୁ ଶତ ପ୍ରତିଶତ ଫାଇନ ଆଦାୟ ହେବ। ଏନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ୩ ଦିନ ପରେ ବି ଅନ୍ଧାରରେ ରାଜ୍ୟ ସରକାର। ଅନ୍ୟପକ୍ଷରେ ଖଣି ଲିଜଧାରୀଙ୍କଠାରୁ କେତେ ଟଙ୍କା ଜୋରିମାନା ଆଦାୟ କରାଯିବ ସେନେଇ ଆଇନଗତ ତର୍ଜମା ଚାଲିଛି ବୋଲି ଆଜି ପୁଣି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।

ସୁପ୍ରିମକୋର୍ଟଙ୍କ ରାୟର ୨୯ ନମ୍ବର ପୃଷ୍ଠାରେ ଥିବା ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ବାଣ ମାରିଛି ବିଜେପି। ଫାଇନ ଆଦାୟ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରି ସରକାର ଖଣିଲିଜଧାରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ କହିଛନ୍ତି-“ସୁପ୍ରିମକୋର୍ଟଙ୍କ ରାୟରେ ଥିବା ତଥ୍ୟ ଅନୁସାରେ ୧୪୬ ଜଣ ଲିଜଧାରୀଙ୍କଠୁ ଜୋରିମାନା ଆଦାୟ ନେଇ ସରକାର ନୋଟିସ ଦେଇଥିଲେ। କୋଏଡା ସେକ୍‌ଟରର ୫୫ ଲଜିଧାରୀଙ୍କ ପାଖରୁ ୧୩ ହଜାର କୋଟିରୁ ଅଧିକ, ଯୋଡା ସେକ୍‌ଟରର ୭୨ ଲଜିଧାରୀଙ୍କ ପାଖରୁ ୪୪ ହଜାର କୋଟି, କେନ୍ଦୁଝର ସକର୍ଲର ୪ ଲଜଧାରୀଙ୍କ ପାଖରୁ ୧ ହଜାର ୬୫ କୋଟି, ବାରିପଦା ସର୍କଲର ୧୧ ଲିଜଧାରୀଙ୍କ ପାଖରୁ ୪୬୭ କୋଟି ଟଙ୍କା (ମୋଟ ଉପରେ ଏହା ୫୯ ହଜାର କୋଟି) ଆଦାୟ ହେବା କଥା। ସିଇସିର ଆକଳନ ଅନୁସାରେ ଏହା ୬୧ ହଜାର କୋଟି ହେବ ବୋଲି ମଧ୍ୟ ରାୟରେ ଉଲ୍ଲେଖ ରହିଛି। ତେବେ ରାୟର ପୃଷ୍ଠା ୧୬ରେ ଥିବା ତଥ୍ୟକୁ ନେଇ ସରକାର ଦ୍ୱନ୍ଦ୍ୱ କରୁଛନ୍ତି।”

ପରିବେଶ ମଞ୍ଜୁରୀ ଖିଲାପ ନେଇ ଏଥିରେ ସିଇସି ୧୭ ହଜାର ୫୭୬ କୋଟି କଥା ଉଲ୍ଲେଖ କରିଥିବା ବେଳେ ଜଙ୍ଗଲ ଆଇନ ଉଲ୍ଲଘଂନ, ଅଧିକ ଖଣି ଉତ୍ତୋଳନ ଓ ଅନ୍ୟ ବେଆଇନ କାରବାରକୁ ମିଶାଇ ଏହା ୫୯ ହଜାର କୋଟି ହେବ। ତେବେ ଖଣି ଚୋରିକୁ ପ୍ରୋତ୍ସାହନ ଦେଇ ଲିଜଧାରୀଙ୍କ ପାଇଁ ସୁପ୍ରିମକୋର୍ଟରେ ଓକିଲାତି କରିଥିବା ବିଜେଡି ସାଂସଦଙ୍କୁ ବି ବିଜେପି ଟାର୍ଗେଟ କରିଛି।

ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସେହି ହିସାବରେ ଜୋରିମାନା ଆଦାୟ ହେବ। ଏଥି ପାଇଁ ସରକାର କୌଣସି ଦ୍ୱନ୍ଦ୍ୱ ସୃଷ୍ଟି କରୁନାହାନ୍ତି।”

ଜୋରିମାନା ଦେବାକୁ ଥିବା ଖଣି ଲିଜଧାରୀଙ୍କ ତାଲିକାର ଉପରେ ରହିଛି ଓଡିଶା ମାଇନିଂ କର୍ପୋରେସନ (ଓଏମସି) ପରିବେଶ ମଂଜୁରୀ ନଥାଇ ଖଣି ଖୋଳିଥିବାରୁ ଏହା ଉପରେ ୨୧ ୭୭ କୋଟି ଜୋରିମାନା ପଡିଛି। ଓଏମ୍‌ସିର ଖଣି କାରବାର ନେଇ ଆଜି ମୁଖ୍ୟ ଶାସନ ସଚିବ ସମୀକ୍ଷା କଲା ବେଳେ ଏ ପ୍ରସଙ୍ଗ ବି ଉଠିଥିଲା। ମୁଖ୍ୟ ଶାସନ ସଚିବ କହିଛନ୍ତି, ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରି ଲିଜଧାରୀଙ୍କ ପାଖରୁ ଜୋରିମାନା ଆଦାୟ କରିବେ।