‘ଭାରତୀୟ ଅର୍ଥନୀତି ୩ ରୁ ୪ ମାସ ଭିତରେ ସୁଧୁରି ଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଭାରତୀୟ ଅର୍ଥନୀତିର ସ୍ଥିତି ୩ରୁ ୪ ମାସ ଭିତରେ ସୁଧୁରି ଯିବ। ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ହେବ। ଓଟିଭିର ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ।

ସେ କହିଛନ୍ତି-“ଏବେ ପରିବର୍ତ୍ତନ ଧାରାରେ ଥିବା ଭାରତୀୟ ଅର୍ଥନୀତି ବିମୁଦ୍ରାକରଣ ଓ ଜିଏସ୍‌ଟି ଭଳି ସଂସ୍କାରମୂଳକ ପଦକ୍ଷେପ ପାଇଁ  ଧିମେଇ ଯାଇଛି। କିନ୍ତୁ ଏହା ବେଶୀ ଦିନ ନୁହେଁ। ବର୍ତ୍ତମାନ ନିଆଯାଇଥିବା ସଂସ୍କାର ମୂଳକ ପଦକ୍ଷେପ ଦୀର୍ଘକାଳୀନ ଭାବେ ଭାରତୀୟ ଅର୍ଥନୀତିକୁ ସମୃଦ୍ଧ ଓ ସଶକ୍ତ କରିବ। ସେହିପରି ଦେଶରୁ କଳାଧନ ବିଲୋପ ବିମୁଦ୍ରାକରଣର ମୂଳ ଲକ୍ଷ୍ୟ ଥିଲା।”

ଚାଷୀକୁ ତା’ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଦେବାକୁ ହେଲେ କୃଷିକ୍ଷେତ୍ରକୁ ଉନ୍ମୋକ୍ତ କରିବାକୁ ପଡ଼ିବ ବୋଲି ଶକ୍ତିକାନ୍ତ ମତ ଦେଇଛନ୍ତି।