ଇସ୍କନ ବିବାଦ: ହାଇକୋର୍ଟଙ୍କ ରହିତାଦେଶ, ଆସନ୍ତା ୧୭ ପର୍ଯ୍ୟନ୍ତ ପିକେଡିଏ କରିପାରିବନି ଶୁଣାଣି

ପୁରୀ: ପୁରୀ ବଳିଆପଣ୍ଡାରେ ଇସ୍କନର ପ୍ରସ୍ତାବିତ ପ୍ରକଳ୍ପ ପ୍ରସଙ୍ଗରେ ଆଜି ପିକେଡିଏରେ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆଜି ହାଇକୋର୍ଟ ଏହି ମାମଲା ଉପରେ ରହିତାଦେଶ ଲଗାଇବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଇସ୍କନ କର୍ତ୍ତୃପକ୍ଷ ପିକେଡିଏରେ ସତ୍ୟପାଠ ଦାଖଲ କରିବା ପରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରହିତାଦେଶ ରହିଛି। ହାଇକୋର୍ଟଙ୍କ ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ପ୍ରକଳ୍ପ କରିବା ନେଇ କିଛି ତଥ୍ୟ ଲୁଚା ଯାଇଥିବା ଜଣାପଡିବା ପରେ ପିକେଡିଏ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା। ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଇସ୍କନ କର୍ତ୍ତୃପକ୍ଷ ହାଜର ହୋଇଥିଲେ। ଏହି ସମୟରେ ଇସ୍କନ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇ ହାଇକୋର୍ଟ ଆଜି ଏହି ମାମଲା ଉପରେ ରହିତାଦେଶ ଜାରି କରିଥିବା କୁହାଯାଇଥିଲା। ଏହା ପାଇବା ପରେ ଜିଲ୍ଲାପାଳ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

ଗତ ୧୮ ତାରିଖରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ଘଟଣା ପଦାକୁ ଆଣିଥିଲେ। ଇସ୍କନ ପକ୍ଷରୁ ପୁରୀର ସିପସରୁବାଲି ମୌଜାରେ ଆଉ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବାକୁ ହୀନ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଥିଲେ। ପରଦିନ ପିକେଡିଏ ଇସ୍କନକୁ ପ୍ରସ୍ତାବିତ ମନ୍ଦିର ନିର୍ମାଣ କାମ ବନ୍ଦ ରଖଇବାକୁ ନିର୍ଦ୍ଦେଶ ଦେଇଥିଲେ। ଇସ୍କନ ପକ୍ଷରୁ ପ୍ରସ୍ତାବିତ ମନ୍ଦିରରେ ଶ୍ରୀଜିଉ ପୂଜା ପାଇବେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ବିଳନରେ କୁହାଯାଇଥିଲା। ସେହିପରି ପ୍ରସ୍ତାବିତ ସ୍ଥାନକୁ ଇସ୍କନ କର୍ତ୍ତୃପକ୍ଷ ଜାଲିଆତି କରି ହାତେଇ ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଚାରିଆଡୁ ବିରୋଧର ସ୍ୱର ଉଠିବା ସହ ଇସ୍କନ କର୍ତ୍ତୃପକ୍ଷଙ୍କ ଏପରି ପଦକ୍ଷେପକୁ ନିନ୍ଦା କରାଯାଇଥିଲା।