ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର ବିବାଦ: ଆଜି ପିକେଡିଏରେ ହାଜର ହେବେ ଇସ୍କନ କର୍ତ୍ତୃପକ୍ଷ

ପୁରୀ: ପୁରୀ ବଳିଆପଣ୍ଡାରେ ଇସ୍କନର ପ୍ରସ୍ତାବିତ ପ୍ରକଳ୍ପ ପ୍ରସଙ୍ଗ ଉପରେ ଆଜି ଶୁଣାଣି କରିବ ପିକେଡିଏ। ପ୍ରକଳ୍ପ କରିବା ନେଇ କିଛି ତଥ୍ୟ ଲୁଚାଇଥିବା ଜଣାପଡ଼ିବା ପରେ ପିକେଡିଏ କର୍ତ୍ତୃପକ୍ଷ ଇସ୍କନ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ପିକେଡିଏ କର୍ତ୍ତୃପକ୍ଷଙ୍କ ନିକଟରେ ଇସ୍କନ କର୍ତ୍ତୃପକ୍ଷ ହାଜର ହେବେ। ସିପସରୁବାଲି ମୌଜାରେ ୩୦ ଏକର ଜାଗାରେ ଜଗନ୍ନାଥ ମନ୍ଦିର ସହ ଏଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ପୂଜା କରାଯିବ ବୋଲି ଇସ୍କନ ପକ୍ଷରୁ ପ୍ରକଳ୍ପ ନେଇ ପ୍ରସ୍ତାବ ଥିବା ଅଭିଯୋଗ ଉଠିଥିଲା। ଏହା ଜଣାପଡ଼ିବା ପରେ ଚାରିଆଡୁ ପ୍ରତିବାଦ ଉଠିଥିଲା। ଜମି ମାଲିକାନା ବିବାଦ ସହ ପିକେଡିଏ କର୍ତ୍ତୃପକ୍ଷ ମଧ୍ୟ ପ୍ରକଳ୍ପରୁ ମଞ୍ଜୁରୀ ଦେଇଥିଲେ। ତେବେ ଜମି ମାପଚୁପ ପରେ ସରକାର ଖାତାକୁ ୬ ଏକର ୫୯ ଡେସିମିଲ୍ ଜମି ଫେରିଛି। ତେବେ ପ୍ରକଳ୍ପ ରିପୋର୍ଟରେ ତଥ୍ୟ ଲୁଚାଇଥିବା ଜଣାପଡ଼ିବା ପରେ ଇସ୍କନ କର୍ତ୍ତୃପକ୍ଷ କ’ଣ ପକ୍ଷ ରଖିବେ, ତାହା ଉପରେ ସମସ୍ତଙ୍କ ନଜର। ଏଥିସହ ପ୍ଲାନ୍ ଅନୁମୋଦନ ଉପରେ ମଧ୍ୟ ପୁନଃବିଚାର କରାଯାଇପାରେ ବୋଲି ଆଶଙ୍କା ଉପୁଜିଛି।