ଯଦୁପୁର ଓ ସରକନ୍ତରା ଗାଁ ସଂଘର୍ଷ ଘଟଣାରେ ପୁଣି ଉତ୍ତେଜନା, ପୋଲିସ୍-ଜନତା ମୁହାଁମୁହିଁ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ଯଦୁପୁର ଓ ସରକନ୍ତରା ଗାଁ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ସରକନ୍ତରାରେ ପୋଲିସ୍ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ପ୍ରଥମେ ପୋଲିସ୍ ଉପରକୁ ପଥର ଓ ବୋତଲ ମାଡ଼ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ଆଇଗିଣିଆ ଛକରେ ଦୋକାନ ଭଙ୍ଗାରୁଜା କରିଥିଲେ। ଗୋଟିଏ ଦୋକାନକୁ ଉତ୍ତ୍ୟକ୍ତ ଲୋକେ ଜାଳି ଦେଇଥିବା ମଧ୍ୟ ସୂଚନା ରହିଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ୍ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ବର୍ତ୍ତମାନ ସ୍ଥିତି ଶାନ୍ତ ରହିଛି। ଦୁଇ ଗାଁ ଭିତରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି। ଦୁଇ ଗାଁର ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତି କମିଟଇ ଗଠନ କରାଯାଇଛି। ଶାନ୍ତି କମିଟି ବୈଠକ ବସି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଛି।

ଯଦୁପୁର ଓ ସରକନ୍ତରା ମଧ୍ୟରେ ଗତକାଲି ସଂଘର୍ଷ ହୋଇଥିଲା। ଯଦୁପୁରରେ ଥିବା ଏକ ସ୍କୁଲର ବାର୍ଷିକ ଉତ୍ସବକୁ କେନ୍ଦ୍ର କରି ଶନିବାରଠାରୁ ସୃଷ୍ଟି ହୋଇଥିବା କନ୍ଦଳ ଗତକାଲି ଉଗ୍ରରୂପ ନେଇଥିଲା। ଉଭୟ ଗାଁ ଲୋକେ ପରସ୍ପର ଉପରେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ କରିବା ସହ କିଛି ଘର ଓ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଗଣ୍ଡଗୋଳ ଭିତରେ ଦୁଇ ଗାଁ ମଝିରେ ଥିବା ରଘୁନାଥପୁର ବସ୍ତିରେ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିବାରୁ ଉତ୍ତେଜନା ଆହୁରି ବଢ଼ି ଥିଲା। ରଘୁନାଥପୁର ବସ୍ତିବାସିନ୍ଦା ଟାୟାର ଜାଳି ଯଦୁପୁର-ସରକନ୍ତରା ରାସ୍ତା ଅବରୋଧ କରିଥିଲେ। ଗଣ୍ଡଗୋଳରେ ମୋଟ ୧୨ ଜଣ ଆହତ ହୋଇଥିଲେ।