ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚାଲିଥିବା ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ସଫଳ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ନେଇ ଯୋଜନା ଚାଲିଛି। ଆମେରିକାରୁ ବିଶେଷଜ୍ଞ ଡାକ୍ତର ଆସିଲେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା-କାଳିଆଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଅପରେସନ ପାଇଁ ପ୍ରାୟ ୨୦ ଘଣ୍ଟା ସମୟ ଲାଗିଥିଲା। ଗତକାଲି ସକାଳ ୫ଟାରୁ ନିଶ୍ଚେତକ ଡାକ୍ତର କାମ ଆରମ୍ଭ କରିଥିଲେ। ସକାଳ ୧୦ଟା ୩୦ରୁ ଅପରେସନ ଆରମ୍ଭ ହୋଇଥିଲା। ଆଜି ସକାଳ ୬ଟାରେ ପ୍ରଥମ ପର୍ଯ୍ୟାୟ ଅପରେସନ ସରିଲା। ସକାଳ ୮ଟାରେ ଓଟିରୁ ବାହାରିବା ପରେ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଅପରେସନ ପାଇଁ ୩ଟି ସିଫ୍ଟରେ ୫୦ରୁ ଅଧିକ ଡାକ୍ତର ଭାଗ ନେଇଥିଲେ। ପରବର୍ତ୍ତୀ ଅପରେସନ୍ ଏକ ମାସ ପରେ ହେବ। ପ୍ରଥମ ପର୍ଯ୍ୟାୟ ଅପରେସନ୍ ଜାପାନରୁ ଆସିଥିବା ବରିଷ୍ଠ ବିଶେଷଜ୍ଞ ଡାକ୍ତର କେ. ତାକି ଜାଓ୍ୱାଙ୍କ ନେତୃତ୍ୱରେ ହୋଇଥିଲା।
କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ। ତେବେ ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷରେ ଆଜି ଉଭୟଙ୍କର ଅପରେସନ କରାଯିବାକୁ ସ୍ଥିର ହୋଇଥିଲା। ଏବେ ଦିଲ୍ଲୀରୁ ଶୁଭ ଖବର ଅପେକ୍ଷାରେ ସାରା ରାଜ୍ୟବାସୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।