ଜଗମୋହନ ମରାମତି ପ୍ରସଙ୍ଗ: କୋର କମିଟି ପ୍ରସ୍ତାବକୁ ଅଗ୍ରାହ୍ୟ କରିନି ଏଏସ୍‌ଆଇ

mahesh-dharmendraନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଏଏସ୍‌ଆଇ ବୈଷୟିକ କୋର କମିଟି ଦେଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରି ଦେଇଥିବା ନେଇ ଓଡ଼ିଶାରେ ତୁମ୍ବିତୋଫାନ ଚାଲିଥିବା ବେଳେ ଆଜି ଏହି ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ତାଙ୍କ ପାଖରେ ମହଜୁଦ୍ ରିପୋର୍ଟରେ ଏଏସ୍‌ଆଇର ଏଭଳି କିଛି ନିଷ୍ପତ୍ତି ସଂପର୍କରେ କିଛି ଉଲ୍ଲେଖ ନାହିଁ। ସେହିପରି ଏଏସ୍‌ଆଇ ଡିଜି ମଧ୍ୟ କହିଛନ୍ତି ଯେ କୋର କମିଟିର ପ୍ରସ୍ତାବକୁ ବିଚାର କରାଯାଉଛି। ଅନ୍ୟପକ୍ଷରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଶୀଘ୍ର ଓଡ଼ିଶା ଯିବ ଓ ଜଗମୋହନ ମରାମତି ପ୍ରସଙ୍ଗର ସମୀକ୍ଷା କରିବ।  ତା’ପରେ ତୁରନ୍ତ ଜଗମୋହନର ମରାମତି କାର୍ଯ୍ୟ ଆରମ୍ଭ ହେବ।

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ଏକ ବୈଠକ ବସିଥିଲା। ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ, ଏଏସ୍‌ଆଇ ଡିଜି ଓ ସଂସ୍କୃତି ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍ ପୁରୀ ଯାଇ ପ୍ରତ୍ୟକ୍ଷ ଭାବେ ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ଜଗମୋହନ ମରାମତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବୈଷୟିକ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,“ ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଦୁଇଟି ରିପୋର୍ଟ ଆସିଛି। ଗୋଟିଏ ରିପୋର୍ଟ ପଠାଇଛି ସ୍ଥାନୀୟ ବୈଷୟିକ କୋର କମିଟି ଓ ଅନ୍ୟଟି ପଠାଇଛି ଚେନ୍ନାଇ ଆଇଆଇଟିର ଐତିହାସିକ କୋଠା ଓ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଗଠିତ ଉଚ୍ଚସ୍ତରୀୟ ଗବେଷଣା ସଂସ୍ଥା। ସ୍ଥାନୀୟ କୋର କମିଟି ପଠାଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଅଗ୍ରାହ୍ୟ କରି ଦେଇଥିବା କଥା ମିଛ। ମୋ ପାଖରେ ଯାହା ରିପୋର୍ଟ ରହିଛି ସେଥିରେ କୌଣସିଠାରେ ଏ ବିଷୟ ଉଲ୍ଲେଖ ହୋଇନି। ଦୁଇଟି ଯାକ ପ୍ରସ୍ତାବ ମଧ୍ୟରୁ କୌଣସିଟିକୁ ଏଏସ୍‌ଆଇ ଅଗ୍ରାହ୍ୟ କରି ନାହିଁ। ଦୁଇଟି ଯାକ ପ୍ରସ୍ତାବ ଉପରେ ଏଏସ୍‌ଆଇ ବିଚାର କରୁଛି।”

ସେ କହିଥିଲେ,“ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ପୁରୀ ଯିବା ନେଇ ଆଜି ବୈଠକରେ ନିଷ୍ପତ୍ତି ହୋଇଛି। ସେମାନେ ପ୍ରତ୍ୟକ୍ଷ ଭାବେ ଶ୍ରୀମନ୍ଦିର ପରିଦର୍ଶନ କରିବେ।  ସେମାନେ କୋର କମିଟିର ସଦସ୍ୟ, ଭୁବନେଶ୍ୱର ଆଇଆଇଟି ଓ ଏନ୍‌ଆଇଟି ଭଳି ବୈଷୟିକ ଅନୁଷ୍ଠାନର ବିଶେଷଜ୍ଞମାନଙ୍କ ସହିତ ଏ ପ୍ରସଙ୍ଗରେ  ଆଲୋଚନା କରିବେ। ଶେଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ବସି ଏକ ଖସଡ଼ା ପ୍ରସ୍ତୁତ କରିବେ। ଜଗମୋହନର ମରାମତି ହେବ ମୂଳ ଲକ୍ଷ୍ୟ। ଏଥିପାଇଁ ପଇସାର ଅଭାବ ନାହିଁ କି ଅଲଗା କିଛି ଉଦ୍ଦେଶ୍ୟ ବି ନାହିଁ।”

ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଥିଲେ,“ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ତୁରନ୍ତ ପୁରୀ ଯିବ। ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଚେନ୍ନାଇ ଆଇଆଇଟି ବିଶେଷଜ୍ଞମାନଙ୍କୁ ସେଠାକୁ ଡକାଯାଇ ଏକ ବୈଠକ କରାଯିବ। ବୈଠକରେ ଯାହା ନିର୍ଷ୍କର୍ଷ ବାହାରିବ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଜଗମୋହନର ମରାମତି ନେଇ ଆମେ ଆଦୌ ଅବହେଳା କରୁ ନାହୁଁ। ଏଥିପାଇଁ ପଇସାର ବି ଅଭାବ ନାହିଁ।”

ସେ କହିଥିଲେ,“ଶ୍ରୀମନ୍ଦିର ଜଗମୋହନ ମରାମତି କାମକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। କିଛି ବୈଷୟିକ କାରଣ ଯୋଗୁଁ ଜଗମୋହନ ମରାମତି କାମରେ ବିଳମ୍ବ ହୋଇଛି। ଆମେ ଚେନ୍ନାଇ ଆଇଆଇଟିର ରିପୋର୍ଟକୁ ଅପେକ୍ଷା କରିଥିଲୁ। ଏହି ରିପୋର୍ଟ ଆସିଯାଇଛି। ଏବେ ଏହି କାମକୁ ଆଗକୁ ବଢ଼ାଯାଇପାରିବ।”

ମହେଶ ଶର୍ମା କହିଥିଲେ,“ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ। ତେବେ ଏଏସ୍‌ଆଇ ମରାମତି କାମକୁ ବୈଷୟିକ ଭାବେ କରିବାକୁ ଚାହୁଁଛି। ଏଏସ୍‌ଆଇର ଅଭିଜ୍ଞ ଇଂଜିନିୟରମାନେ ଏହି କାର୍ଯ୍ୟ କରିବେ। ଏଏସ୍‌ଆଇ ହିଁ ଜଗମୋହନର ମରାମତି କାମ କରିବ। କୌଣସି ସାଧାରଣ ଇଂଜିନିୟରଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ।”

ଏଏସ୍‌ଆଇ ଡିଜି କହିଥିଲେ,“ଜଗମୋହନ ପ୍ରସଙ୍ଗରେ ଆଇଆଇଟି ଚେନ୍ନାଇର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ।”

ଏଏସ୍‌ଆଇ ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ରଙ୍କ ଇସ୍ତଫା ସଂପର୍କରେ ପ୍ରତିକ୍ରିୟା ଦେଇ ସେ କହିଥିଲେ,“ତାଙ୍କର ପ୍ରସ୍ତାବକୁ ମଧ୍ୟ ବିଚାର କରାଯାଉଛି।”

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜା ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଦାବି କରିଛନ୍ତି। ମରାମତି କାର୍ଯ୍ୟ ଉତ୍ତମ ଓ ଦୀର୍ଘ ସ୍ଥାୟୀ ହେଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର୍ କମିଟି ଦେଇଥିବା ପ୍ରସ୍ତାବ ଓ ଖର୍ଚ୍ଚ ଅଟକଳକୁ ଏଏସ୍‌ଆଇ ଅଗ୍ରାହ୍ୟ କରିଦେଇଥିବା ନେଇ ଖବର ଆସିଥିଲା।  ଏହାକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା। ସେହିପରି ଶନିବାର ଏଏସ୍‌ଆଇ ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଜି.ସି ମିତ୍ର ଇସ୍ତଫା ଦେବା ପରେ ଏ ପ୍ରସଙ୍ଗକୁ ନେଇ ଅଧିକ ହଇଚଇ ହୋଇଥିଲା।