ଜଗମୋହନ ମରାମତି ପ୍ରସଙ୍ଗ: ୬ ତାରିଖରୁ ଆରମ୍ଭ ହେବ ପକେଟ ଫ୍ରେମିଂ

suresh-mahapatraଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍‌ ଫ୍ରେମିଂ ଆରମ୍ଭ ହେବ। ଜଗମୋହନ ମରାମତି ପ୍ରସଙ୍ଗରେ ଆଜି ଭୁବନେଶ୍ୱରରେ ବସିଥିବା ବୈଠକ ପରେ ଏଏସ୍‌ଆଇ ବୈଷୟିକ କୋର କମିଟି ଅଧ୍ୟକ୍ଷ ଜି.ସି. ମିତ୍ର ସୂଚନା ଦେଇଛନ୍ତି।

ଦୁଇଟି ପର୍ଯ୍ୟାୟରେ ବସିଥିବା ଆଜିର ବୈଠକରେ ଏଏସ୍‌ଆଇ ଜଏଣ୍ଟ ଡିଜି ଜାହ୍ନବୀ ଶର୍ମା, କୋର କମିଟିର ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏବଂ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ଜଗମୋହନ ମରାମତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ଆସନ୍ତା ୬ରୁ ଜଗମୋହନର କ୍ୟାପିଟାଲ୍ ଷ୍ଟୋନ୍ ଓ ୪ ପିଲାର ମରାମତି କାମ ଆରମ୍ଭ ହେବ। ପ୍ରତିଦିନ ସକାଳ ଧୂପ ପରେ ଦିନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ। ମରାମତି କାମ ପରେ ସନ୍ଧ୍ୟାରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରିବେ।”

ସେ ଆହୁରି କହିଛନ୍ତି,“ଏଯାଏଁ ଏଏସ୍‌ଆଇ ଷ୍ଟିଲ୍‌ ବିମ୍‌ର ଡିଜାଇନ୍ ଦେଇ ନାହିଁ। ଆଇଇଟି ଚେନ୍ନାଇ ସହିତ ପରାମର୍ଶ କରି ଏଏସ୍‌ଆଇ ଷ୍ଟିଲ୍‌ ବିମ୍‌ର ଡିଜାଇନ୍ ଦେବ। ଷ୍ଟିଲ୍ ବିମ୍ ମରାମତି କରିବାର ସାମର୍ଥ୍ୟ ଏଏସ୍‌ଆଇର ନାହିଁ। ଏଏସ୍‌ଆଇର ତତ୍ତ୍ୱାବଧାନରେ ପୂର୍ତ୍ତ ବିଭାଗ ଏ କାମ କରିବ। ଆସନ୍ତା ଦୁଇ ତିନି ମାସ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।”