ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ

ପୁରୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍, ଶ୍ରୀମନ୍ଦିର ପ୍ରଶାସକ, ମରାମତି ତଦାରଖ ସେବାୟତ କମିଟି ଉପସ୍ଥିତିରେ ମରାମତି କାମ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୀତିକାନ୍ତି ଶୃଙ୍ଖଳିକ କରିବାକୁ ୨ଟି କମିଟି ଯାଞ୍ଚ କରିବେ।

ଜଗମୋହନ ମରାମତି ସମୟରେ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ତଳେ ଏକ ଆଦେଶପତ୍ର ଜାରି କରାଯାଇଥିଲା। ଆଦେଶପତ୍ରରେ ଜଗମୋହନ ମରାମତି ପାଇଁ ଅନୁମୋଦିତ ନୀତି ନିର୍ଘଣ୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସେହି ଅନୁସାରେ ଜଗମୋହନ ମରାମତି ପାଇଁ ରାତି ୨ଟାରୁ ଦ୍ୱାରଫିଟା, ପରେ ଭିତରଶୋଧ, ମଙ୍ଗଳ ଆରତି, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଓ ଦକ୍ଷିଣ ଘର ଭୋଗ ଦିନ ୧୧ଟା ସୁଦ୍ଧା ସରିବ। ଏହା ପରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ପୁଣି ସଂଧ୍ୟା ସାଢ଼େ ୬ଟାରୁ ଶ୍ରୀଜିଉଙ୍କ ରୀତିକାନ୍ତି ଆରମ୍ଭ କରାଯିବ ଓ ମରାମତି କାର୍ଯ୍ୟକୁ ତା’ପରଦିନ ସକାଳ ୧୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ।

ଜଗମୋହନ ମରାମତି ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ବିଭନ୍ନ କାମ ପାଇଁ ୫ଟି ଟିମ୍ ଗଠନ କରାଇଛି। ମେ’ ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଆବଶ୍ୟକ ହେଲେ ଆଉ ଗୋଟିଏ କିମ୍ୱା ଦୁଇ ସପ୍ତାହ ଅଧିକ ଲାଗିପାରେ। ତେବେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସବୁ କାମ ଶେଷ ହେବ ବୋଲି ବୈଷୟିକ କମିଟି ପକ୍ଷରୁ କୁହାଯାଇଛି।

ଆସନ୍ତାକାଲିଠାରୁ ଜଗମୋହନ ମରାମତି କାମ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୭ ଗୋଟି ନିଯୋଗର କର୍ମକର୍ତ୍ତାଙ୍କୁ ନେଇ ଏକ ରୁଦ୍ଧଦ୍ୱାରା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରୁଦ୍ଧଦ୍ୱାରା ବୈଠକରେ ପ୍ରତିହାରୀ ନିଯୋଗ, ପ୍ରତିବଡୁ ନିଯୋଗ, ସୁଆରବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ, ପୁଷ୍କାଳକ ନିଯୋଗର କର୍ମକର୍ତ୍ତା ଯୋଗ ଦେଇଥିଲେ। ଜଗମୋହନ ମରାମତି ସମୟରେ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଏହି ବୈଠକ ବସିଥିଲା। ବିଶେଷ କରି ବାହାର କାଠ ନିକଟରେ କିପରି ସେବାୟତମାନେ ରହିବେ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଏବଂ ପ୍ରାପ୍ୟପାଉଣାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଜଗମୋହନ ମରାମତି ସମୟରେ ନୀତିକାନ୍ତି ତଦାରଖ କରିବା ପାଇଁ ଦୁଇଟି କମିଟି ଗଠନ କରାଯାଇଛି। ରାତି ୨ଟାର ସକାଳ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ରୀତିକାନ୍ତି ତଦାରଖ କରିବା ପାଇଁ ଗୋଟିଏ କମିଟି ଗଠନ କରାଯାଇଥିବା ବେଳେ ରାତ୍ର ସାଢ଼େ ୬ଟାରୁ ମହାପ୍ରଭୁଙ୍କ ପହଡ଼ ପଡ଼ିବା ପର୍ଯ୍ୟନ୍ତ ଅର୍ଥାତ ରାତି ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବା ରୀତିକାନ୍ତ ତଦାରଖ କରିବ ଆଉ ଏକ କମିଟି। ସେହିପରି ମରାମତି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆଉ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର ସୋମବାର ସୂଚନା ଦେଇଥିଲେ।