ଜେଲ ଗଲେ ତାପସ ପାଲ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ତାପସ୍ ପାଲଙ୍କ ରିମାଣ୍ଡ ଅବଧି ଆଜି ସରିବା ପରେ ସିବିଆଇ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତାପସ ବିଚାର ବିଭାଗୀୟ ହାଜତରେ ରହିବେ। ସେହିପରି ତାପସଙ୍କ ଜାମିନ ଆବେଦର ଶୁଣାଣି କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

ଟିଏମ୍‌ସିର ଅନ୍ୟତମ ସାଂସଦ ସୁଦୀପ ବନ୍ଦୋପାଧ୍ୟୟଙ୍କୁ ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଛି। ସୁଦୀପ ରୋଜଭ୍ୟାଲି ଟଙ୍କାରେ ୟୁରୋପ ବୁଲିଥିବା ସିବିଆଇ ପ୍ରମାଣ ପାଇଛି। ନିଜ ପଦ ଅପବ୍ୟବହାର କରି ସୁଦୀପ ଆଉ କ’ଣ କରିଛନ୍ତି ତା’ର ବି ଖୋଳତାଡ଼ ଚାଲିଛି। ତାଙ୍କ ମାଧ୍ୟମରେ ଅନ୍ୟ କୌଣସି ନେତା ଓ ମନ୍ତ୍ରୀ ରୋଜଭ୍ୟାଲିରୁ ଫାଇଦା ନେଇଛନ୍ତି କି ନାହିଁ ସେ ନେଇ ବି ସିବିଆଇ ପଚରାଉଚରା କରୁଛି।

ଅନ୍ୟପକ୍ଷରେ ଜେଲରେ ଥିବା ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ଆଉ ଏକ କମ୍ପାନୀ ବ୍ରାଣ୍ଡ ଭାଲ୍ୟୁ କମ୍ୟୁନିକେସନ ଲିମିଟେଡ ମାଧ୍ୟମରେ ମିଡିଆ, ଫିଲ୍ମ ଓ ସିରିଏଲରେ କେତେ ଟଙ୍କା ଲାଗିଥିଲା ତାହାର ତନାଘନା ଚାଲିଛି। ଏଥିରେ ଟଲିଉଡର କିଛି ନାମୀଦାମୀ କଳାକାର ବି ସିବିଆଇ ନଜରରେ ଅଛନ୍ତି।