ବାୟୁସେନାର ନିଖୋଜ ବିମାନରେ ଅଛନ୍ତି ଆଉ ଜଣେ ଓଡ଼ିଆ

ଯାଜପୁର: ବାୟୁସେନାର ନିଖୋଜ ବିମାନ ଏଏନ୍‌-୩୨ରେ ଆଉ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି। ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସେନାପତି। ତାଙ୍କ ଘର ଯାଜପୁର ଜିଲ୍ଲାର ପାଣିକୋଇଲି ରଙ୍ଗରଙ୍ଗାରରେ। ଚେନ୍ନାଇରୁ ପୂର୍ଣ୍ଣଚନ୍ଦ୍ରଙ୍କ ଜଣେ ସହଯୋଗୀ ତାଙ୍କ ପରିବାରକୁ ଏ ନେଇ ସୂଚନା ଦେଇଛନ୍ତି।

ପୂର୍ଣ୍ଣଚନ୍ଦ୍ରଙ୍କ ଭାଇ ମୋହନ ସେନାପତି କହିଛନ୍ତି, “ପୂର୍ଣ୍ଣଚନ୍ଦ୍ର ୨୦୧୪ ମସିହାରେ ନୌସେନାରେ ଚାକିରି ପାଇଥିଲେ। ଟ୍ରେନିଂ ପାଇଁ ସେ ଆଣ୍ଡାମାନ ଯାଉଥିଲେ। ଚେନ୍ନାଇରେ ପହଞ୍ଚିଥିବା ସେ ଘରକୁ ଫୋନ୍ କରିଥିଲେ। ଭାଇଙ୍କ ସାଙ୍ଗ ଫୋନ୍ କରି କହିଲେ ପୂର୍ଣ୍ଣଚନ୍ଦ୍ର ଯେଉଁ ବିମାନରେ ଯାଇଛନ୍ତି ତାହା ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ପାଇବା ପରେ ଆମେ ଜଣାଇବୁ। ଆମ ସହ ଯୋଗାଯୋଗ ରଖିଥାଆନ୍ତୁ।”

ସୂଚନାଯୋଗ୍ୟ, ଏହି ନିଖୋଜ ବିମାନରେ ବ୍ରହ୍ମପୁର ଉପଖଣ୍ଡ ସୁକୁଣ୍ଡାର ଚରଣ ମହାରଣା ଥିବା ଗତକାଲି ଜଣାପଡ଼ିଥିଲା। ଚରଣଙ୍କ ଜଣେ ବନ୍ଧୁ ତାଙ୍କ ଘରକୁ ଫୋନ୍‌ କରି ନିଖୋଜ ବିମାନରେ ଚରଣ ପୋର୍ଟବ୍ଲେୟାର ଯାଉଥିଲେ ବୋଲି କହିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଚରଣଙ୍କ ବିଷୟରେ ସଠିକ୍‌ ସୂଚନା ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଚରଣ ୨୦୧୪ରେ ନୌସେନାରେ ଟେକନିସିଆନ ଭାବେ ଯୋଗ ଦେଇଥିଲେ।

ନିଖୋଜ ବିମାନର ଜୋରଦାର ତଲାସୀ ଚାଲିଛି। ବଙ୍ଗୋପସାଗରରେ ନୌସେନାର ଜାହାଜ ଓ ବିମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  ଗତକାଲି ସକାଳ ୮ଟା ୩୦ ମିନିଟ୍‌ରେ ଚେନ୍ନାଇର ତାମ୍ୱ୍ରମା ଘାଟିରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିଲା ବେଳେ ବିମାନଟି ନିଖୋଜ ହୋଇଯାଇଥିଲା।