ଯାଜପୁର ଓ କଟକରେ ଦୁଇଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର/କଟକ: ଯାଜପୁର ଓ କଟକ ଜିଲ୍ଲାରେ ଆଜି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଦୁଇଜଣ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କ୍ଷେତ୍ରପାଳ ଗାଁର ଦେବେନ୍ଦ୍ର ମହାପାତ୍ର ଏବଂ କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା କୁମାରପୁର ଗାଁର ହାଡିବନ୍ଧୁ ମଲ୍ଲିକ । ଫସଲହାନୀ ଚିନ୍ତାରେ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କ୍ଷେତ୍ରପାଳ ଗାଁର ଦେବେନ୍ଦ୍ର ଋଣ ଶୁଝିବା ଚିନ୍ତାରେ ୪ଦିନ ତଳେ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ମୃତ ଦେବେନ୍ଦ୍ରଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାସହ ଦେବେନ୍ଦ୍ରଙ୍କ ଆତ୍ମହତ୍ୟାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ମୃତ ଦେବେନ୍ଦ୍ର ଚାଷ କରିବା ପାଇଁ ବନ୍ଧନ ଫାଇନାନ୍ସରୁ ୪୦ହଜାର ଟଙ୍କା ଋଣ କରିଥିଲେ । ଏହାବାଦ ଭଉଣୀ ପାଖରୁ ୪୦ ହଜାର ଓ ଅନ୍ୟମାନଙ୍କଠାରୁ ୪୦ରୁ ୫୦ ହଜାର ଟଙ୍କା ଧାର  କରିଥିଲେ । ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଯାହାକୁ ନେଇ ସେ ଚିନ୍ତିତ ଥିଲେ । ଋଣ କଥାକୁ ନେଇ ଗତ ୨୦ ତାରିଖ ରାତିରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ସେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ।

ସେହିପରି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା କୁମାରପୁର ଗାଁର ଚାଷୀ ହାଡିବନ୍ଧୁ ମଲ୍ଲିକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ହାଡିବନ୍ଧୁ ୪ ଏକର ଜମିରେ ଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଫଳରେ ସେ ଋଣ ଶୁଝିବା ଚିନ୍ତାରେ ଥିଲେ । ଏପରି ସ୍ଥିତିରେ ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଗତକାଲି କଟକ ଜିଲ୍ଲା ବାଙ୍ଗି ବରାହମପୁରା ନୂଆସାହିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।