ନାତୁଣୀକୁ ଚେଙ୍କ ଦେବା ଘଟଣା: ଅଜା ଗିରଫ

branding1
ଚେଙ୍କ ଦିଆଯାଇଥିବା ଶିଶୁ ସହ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ଦାସ ଓ ଅନ୍ୟ ସଦସ୍ୟମାନେ

ଯାଜପୁର: ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଏକ ୫ ବର୍ଷର ଝିଅକୁ ଚେଙ୍କ ଦେବା ଘଟଣାରେ ଆଜି ପୋଲିସ୍ ତା’ ଅଜା ଦିଲ୍ଲୀପ ବିନ୍ଧାଣୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୪୧,୩୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ଯାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶିଶୁଟିକୁ ଆଜି ଭେଟିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ଦାସ। ତାଙ୍କ ନେତୃତ୍ୱରେ ଏକ ଚାରି ଜଣ ଟିମ୍ ଝିଅଟିକୁ ଭେଟି ତା’ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଝିଅଟିକୁ ଆଉ ଦୁଇ ସପ୍ତାହ ଡାକ୍ତରଖାନାରେ ରଖାଯିବ।

ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ଦାସ କହିଛନ୍ତି,“ଝିଅଟିକୁ ଆଉ ଦୁଇ ସପ୍ତାହ ଡାକ୍ତରଖାନାରେ ରଖିବାକୁ ଡାକ୍ତର କହିଛନ୍ତି। ତା’ର ପୁଷ୍ଟିହୀନତା ଅଛି କି ନାହିଁ ତାହା ବି ପରୀକ୍ଷା କରାଯିବ। ଡାକ୍ତର ଯେଉଁ ଦିନ ପିଲାଟିକୁ ଡାକ୍ତରଖାନାରୁ  ଛାଡ଼ିବେ ଆମେ ସେହି ଦିନ ତାକୁ ସିସିଆଇକୁ ନେଇ ଯିବୁ। ତା’ର ଏକ ଭାଇ ମଧ୍ୟ ଅଛି। ସେ ବି ଅବହେଳିତ ହୋଇ କି ରହିଛି। ଆମେ ତାକୁ ବି ସିସିଆଇକୁ ନେଇ ଯିବୁ।”

ଗତକାଲି ୫ ବର୍ଷର ନାତୁଣୀକୁ ଅଜା ଦିଲ୍ଲୀପ ବିନ୍ଧାଣି ଲୁହା ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ନାଚୁଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଗତ ସୋମବାର ଠାରୁ ଦିଲ୍ଲୀପ ଶିଶୁଟିକୁ ଚେଙ୍କ ଦେଇ ବନ୍ଦ କୋଠରୀ ରଖିଥିବା ପଡ଼ୋଶୀମାନେ ଅଭିଯୋଗ କରିଥିଲେ। ଗତକାଲି ପୋଲିସ୍ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ପିଲାଟି ଦୁଷ୍ଟାମୀ କରିବାରୁ ଦିଲ୍ଲୀପ ତାକୁ ଚେଙ୍କ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛି ବର୍ଷ  ହେବ ଶିଶୁଟିର ବାପା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଅନ୍ୟତ୍ର ରହୁଛି। ତା’ର ମା’ ମଧ୍ୟ  ଅନ୍ୟ ଜଣଙ୍କୁ ବାହା ହୋଇ ତାକୁ ଅଜା ପାଖରେ ଛାଡ଼ି ଦେଇ ଚାଲିଯାଇଛନ୍ତି।  ଦିଲ୍ଲୀପ ବହୁ ସମୟରେ ଝିଅଟିକୁ ମାରଧର କରନ୍ତି ବୋଲି  ପଡ଼ୋଶୀମାନେ କହିଛନ୍ତି।