ଜନ୍ମ ପ୍ରମାଣପତ୍ର ନ ଥିବାରୁ କୁନି ଫୁଟ୍‌ବଲ୍‌ ତାରକା ଚନ୍ଦନଙ୍କୁ ପାସ୍‌ପୋର୍ଟ ମିଳିଲା ନାହିଁ

chandan nayakଭୁବନେଶ୍ୱର: ଭୁବନେଶ୍ୱର ସବର ସାହିରୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ ପାଇଁ ମନୋନୀତ ହୋଇଥିବା କୁନି ଫୁଟ୍‌ବଲ୍‌ ଖେଳାଳି ଚନ୍ଦନ ନାୟକଙ୍କ ପାଇଁ ବାଧକ ସାଜିଛି ପାସ୍‌ପୋର୍ଟ। ଆଜି ସେ ପାସ୍‌ପୋର୍ଟ ପାଇଁ ଭୁବନେଶ୍ୱର ଆଞ୍ଚଳିକ ଅଫିସ୍‌କୁ ଯାଇ ନିରାଶ ହୋଇ ଫେରିଛନ୍ତି। ତାଙ୍କ ଆବେଦନପତ୍ର ନାକଚ ହୋଇଯାଇଛି।

ଚନ୍ଦନ ନାବାଳକ ହୋଇଥିବାରୁ ଜନ୍ମ ପ୍ରମାଣପତ୍ର ମାଗିଥିଲେ ପାସ୍‌ପୋର୍ଟ ଅଫିସ୍‌ ଅଧିକାରୀ। ଜନ୍ମ ପ୍ରମାଣପତ୍ର ଦେଇ ନ ପାରିବାରୁ ଚନ୍ଦନ ଓ ତାଙ୍କ କୋଚ୍‌ଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଛି। ପରେ ଚନ୍ଦନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମେୟର ଅନନ୍ତନାରାୟଣ ଜେନାଙ୍କୁ ଭେଟିଥିଲେ। ଦିନେ କିମ୍ବା ଦୁଇ ଦିନ ଭିତରେ ବିଏମ୍‌ସି ପକ୍ଷରୁ ଚନ୍ଦନଙ୍କୁ ଜନ୍ମ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ଜେନା ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଜେନା କହିଛନ୍ତି।

ଚନ୍ଦନଙ୍କ କୋଚ୍‌ ଜୟଦେବ ମହାପାତ୍ର କହିଛନ୍ତି, “ଚନ୍ଦନଙ୍କ ଜନ୍ମ ପ୍ରମାଣପତ୍ର ମିଳିଲେ ପାସ୍‌ପୋର୍ଟ ଅଫିସ୍‌ରେ ଆମେ ଆବେଦନ କରିବୁ। ଠିକ୍ ସମୟରେ ସେ ଜର୍ମାନୀ ଯାଇପାରିବେ।”

କ୍ୟାପିଟାଲ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଚନ୍ଦନକୁ ଜର୍ମାନ ଯିବା ପାଇଁ ସ୍କୁଲରୁ ଅନୁମତି ମିଳିଛି। ପାସ୍‌ପୋର୍ଟ ମିଳିଲେ ଅଗଷ୍ଟ ୨୧ କିମ୍ବା ୨୨ରେ ସେ ଜର୍ମାନୀ ଗସ୍ତରେ ଯାଇ ବାୟର୍ଣ୍ଣ ମ୍ୟୁନିକ ଫୁଟବଲ କ୍ଲବରେ ୨ ମାସ ଧରି କୋଚିଂ ନେବେ।