ଏନ୍‌ସେଫାଲାଇଟିସ୍‌ରେ ୭୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି: ସୁରମା ପାଢ଼ୀ

bjpଭୁବନେଶ୍ୱର: ମାଲକାନଗିରିରେ ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ୭୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସରକାରୀ ହିସାବ ଠାରୁ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏନ୍‌ସେଫାଲାଇଟିସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଠିକ୍‌ଭାବେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି ବୋଲି ମାଲକାନଗିରିରୁ ସ୍ଥିତି ସମୀକ୍ଷା କରି ଫେରିବା ପରେ ଆଜି ବିଜେପି ନେତ୍ରୀ ସୁରମା ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହିତ ସେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି,“ମାଲକାନଗିରି ଜିଲ୍ଲାରେ ୧୧୫ ଜଣ ଡାକ୍ତର ରହିବା କଥା। କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ ୫୨ ଜଣ ଡାକ୍ତର ଅଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩୩ ଜଣ ଡାକ୍ତର ପଦବୀ ରହିଛି। କିନ୍ତୁ ମାତ୍ର ୭ ଜଣ ଡାକ୍ତର ଅଛନ୍ତି। ଜିଲ୍ଲାରେ ଜଣେ ମାତ୍ର ଶିଶୁରୋଗ ବିଶେଷଜ୍ଞ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇରୁ ତିନି ଜଣ ଶିଶୁରୋଗ ବିଶେଷଜ୍ଞ ଏବେ ଯୋଗ ଦେଇଛନ୍ତି। ଡାକ୍ତରଖାନାର ଭିତ୍ତିଭୂମି ଠିକ୍ ନାହିଁ। ଡାକ୍ତରଖାନାରେ ଲାଇଟ୍‌ ଜଳୁ ନାହିଁ। ମଶାରି ବଣ୍ଟନ ଓ ଘୁଷୁରି ନିୟନ୍ତ୍ରଣ ଜିଲ୍ଲାରେ ଠିକ୍‌ଭାବେ ହୋଇ ନାହିଁ। କେନ୍ଦ୍ରକୁ ଦାୟୀ କରି ରାଜ୍ୟ ସରକାର ଏ ନେଇ ରାଜନୀତି କରୁଛନ୍ତି।”

ସୁଷମା ଆହୁରି କହିଛନ୍ତି,“ରାଜ୍ୟ ସରକାର ଏଭଳି ଏକ ସଙ୍ଗୀନ ସ୍ଥିତିରେ  ଶିଶୁଙ୍କ ସହିତ ବା ଶିଶୁଙ୍କ ଶବକୁ ନେଇ ରାଜନୀତି କରୁଛି। ଶିଶୁଙ୍କ ସହିତ ରାଜନୀତି ନ ଖେଳି ସ୍ପଷ୍ଟ କରନ୍ତୁ କେନ୍ଦ୍ର ସହାୟତା କରିବା ପାଇଁ ପ୍ରସ୍ତୁତି ଅଛି। ସମସ୍ତ ବିଭାଗ ସଚିବ ଓ ମନ୍ତ୍ରୀସ୍ତରୀୟ ଟିମ୍‌ ଏକ ହୋଇ ଜିଲ୍ଲାର ସ୍ଥିତି କିପରି ସୁଧୁରିବ ଓ ଆଉ ଯେପରି ଶିଶୁ ମୃତ୍ୟୁ ନ ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ଶିଶୁଙ୍କ ସଂଖ୍ୟା ମାଲକାନାଗିରି ଜିଲ୍ଲାରେ ବୃଦ୍ଧି ଘଟୁଛି। ଏହି ଶିଶୁ ମଡ଼କରୁ ଶିଶୁଙ୍କୁ କିପରି ଉଦ୍ଧାର କରାଯିବ ସେଥିପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ।”

ସୁରମା ପାଢୀ କରିଥିବା ଅଭିଯୋଗକୁ ବିଜେଡି ମୁଖପାତ୍ର  ଅମର ଶତପଥୀ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି,“ବିଜେପି ଆଣିଥିବା ଅଭିଯୋଗ ଭିତ୍ତିହୀନ। ଏନ୍‌ସେଫାଲାଇଟିସ୍‌ରେ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଯେଉଁମାନେ କହୁଛନ୍ତି ତାହା ତଥ୍ୟ ଭିତ୍ତିକ ହେବା ଉଚିତ୍। କେବଳ ରାଜନୀତି ଦୃଷ୍ଟିକୋଣରୁ ଏହା କହିବା ଠିକ୍ ନୁହେଁ । ଏନ୍‌ସେଫାଲାଇଟିସ୍‌ ମହାମାରୀ ରୂପ ନେଇଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଅଛି। ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଯଦି କୌଣସି ରାଜନୈତିକ ଦଳ କାଦୁଅ ଫୋପାଡ଼ିବା ପାଇଁ ଚେଷ୍ଟା କରନ୍ତି ତାହାହେଲେ  ସେ ଦଳ ନିଜ ଦାୟିତ୍ୱରୁ ଓହରିଲା ଭଳି ଜଣାପଡ଼ୁଛି। କାହାରିକୁ ଦୋଷ ନ ଦେଇ ବିହିତ ବ୍ୟବସ୍ଥା କଥା ଚିନ୍ତା କରିବା ଉଚିତ।”