ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୪୮ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦିନ ୧୨ଟାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ମାଥିଲି ବ୍ଲକ୍‌ ଦୁର୍ଗାଗୁଡ଼ା ଗାଁର ଶୁଭମ୍ ନାୟକ, କୋରାକଣ୍ଡା ବ୍ଲକ୍‌ ଆଲୁର୍‌ ଗାଁର ଅର୍ଜୁନ ପଡ଼ିଆମୀ ଓ କାଲିମେଳା ବ୍ଲକ୍‌ ଉରମାଲା ଗାଁର ରାମ ମାଢ଼ୀ। ଏହି ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୪ ଦିନରେ ୪୮ରେ ପହଞ୍ଚିଛି।

ଗତକାଲି ୫୦ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ୬୧ ଜଣ ଶିଶୁଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।