ରେଡଫ୍ଲାଗ୍ ଶ୍ରେଣୀଭୁକ୍ତ ହେଲା ଜଟଣୀ ନାବାଳିକା ଦୁଷ୍କର୍ମ ମାମଲା

rpsharma
ଆର୍.ପି ଶର୍ମା

ଭୁବନେଶ୍ୱର: ଜଟଣୀ ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ରେଡଫ୍ଲାଗ୍ ଶ୍ରେଣୀଭୁକ୍ତ ହୋଇଛି। ଫାଷ୍ଟଟ୍ରାକରେ ଏହାର ତଦନ୍ତ ହେବ। ୧୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ। ପୋଲିସ କମିଶନର ଆର.ପି ଶର୍ମା ଶନିବାର ଦିନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଭିଯୁକ୍ତ ଅହିରାଜ ନାଏକର ଡିଏନଏ ଟେଷ୍ଟ୍ କରାଯିବ। ଡିଏନଏ ଟେଷ୍ଟ୍ ଓ ଅନ୍ୟ ତୁଳନାତ୍ମକ ପରୀକ୍ଷା ଗୁଡ଼ିକର ରିପୋର୍ଟ ଶୀଘ୍ର ଦେବା ପାଇଁ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲାବୋରୋଟାରୀ (ଏସ୍‌ଏଫଏସଏଲ୍)କୁ ଅନୁରୋଧ କରାଯିବ।

ପୋଲିସ୍ କମିଶନର କହିଛନ୍ତି, ସିଆରପିସି ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯିବ। ସେ ହସ୍ପିଟାଲରୁ ବାହାରିବା ପରେ ଏହି ବୟାନ ରେକର୍ଡ କରାଯିବା ପାଇଁ ବ୍ୟବସ୍ଥା କରାଯିବ।

୧୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଚେଷ୍ଟା କରାଯିବ ବୋଲି ପୋଲିସ୍ କମିଶନର ଆର.ପି ଶର୍ମା କହିଛନ୍ତି। ସେ କହିଛନ୍ତି, ଜାନୁଆରୀ ୩୧ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରାଯିବାକୁ ଚେଷ୍ଟା କରାଯାଉଛି।

ପୀଡ଼ିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ତୁରନ୍ତ ସହାୟତା ରାଶି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଗତ ଗୁରୁବାର ଦିନ ଜଟଣୀ ଲୋକୋ କଲୋନୀରେ ଘଟିଥିଲା ଏହି ଅମାନୁଷିକ ଘଟଣା। ମୁଖ୍ୟ ଅଭିଯୁକ୍ତ ଅହିରାଜ ନାଏକକୁ ପୋଲିସ ଗିରଫ କରିଥିବା ବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି।

ଅନ୍ୟପକ୍ଷରେ ଏହି ଘଟଣା ପ୍ରତିବାଦରେ ଆଜିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛି ବିଜେପି। ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଶୋଭାଯାତ୍ରା କରିବା ସହିତ ଧାରଣା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।