ନାବାଳିକା ଦୁଷ୍କର୍ମ ଘଟଣାରେ ତେଜୁଛି ପ୍ରତିବାଦ: ଜଟଣୀ ଥାନା ଘେରିଲେ କିନ୍ନର ଓ ମହିଳା

jataniଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଘନେଇଛି ପ୍ରତିବାଦ। ଆଜି ବିଭିନ୍ନ ମହିଳା ଓ କିନ୍ନର ସଂଘ ପକ୍ଷରୁ ଜଟଣୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି ବିଜେପି। ସେହିଭଳି ଆଜି କଂଗ୍ରେସ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ ଭୁବନେଶ୍ୱରରେ ଧାରଣା ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାର ଶୁଣାଣି ଏକ ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ ପାଇଁ ଚିଠି ଲେଖାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ନାବାଳିକାଟିକୁ ଦୁଷ୍କର୍ମ କରାଯିବା ପ୍ରତିବାଦରେ ଆଜି ବିଭିନ୍ନ ମହିଳା ଓ କିନ୍ନର ସଂଘ ପକ୍ଷରୁ ଜଟଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଥାନା ଘେରାଉ କରାଯାଇଥିଲା। ବିକ୍ଷୋଭକାରୀମାନେ ଟାୟାର ଜାଳି ଜଟଣୀ ଷ୍ଟେସନ ରାସ୍ତା ଅବରୋଧ କରିଥିଲେ। ମହିଳା ଓ କିନ୍ନର ସଂଘର ଏହି ବିକ୍ଷୋଭକୁ ଅଞ୍ଚଳବାସୀ ମଧ୍ୟ ସମର୍ଥନ କରିଥିଲେ। ଅଭିଯୁକ୍ତକୁ ଫାଶୀ ଦେବାକୁ ଏହି ସଂଘଗୁଡ଼କ ପକ୍ଷରୁ ଦାବି କରାଯାଇଛି।

ମହିଳା ସଂଗଠନ ପକ୍ଷରୁ କୁହାଯାଇଛି କେବଳ ଜଟଣୀ ନୁହେଁ, ଏହା ଓଡ଼ିଶାବାସୀଙ୍କ ପାଇଁ ଲଜ୍ୟାର ବିଷୟ। ଯଦି ମହିଳାମାନେ ଘରେ ସୁରକ୍ଷିତ ନୁହନ୍ତି, ବାହାରେ କିପରି ସୁରକ୍ଷିତ ରହିବେ। ଜଟଣୀରେ ପାଟ୍ରୋଲିଂ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଠିକ୍  ପାଟ୍ରୋଲିଂ ହେଉଥିଲେ ଆଜି ଏପରି ପରିସ୍ଥିତି ଉପୁଜି ନ ଥା’ନ୍ତା। ବଡ଼ ବଡ଼ିଆଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି ହେଲେ ବସ୍ତିବାସୀଙ୍କ ସୁରକ୍ଷା ପ୍ରତି ପୋଲିସ ଆଖି ବୁଜି ଦେଇଛି।

କିନ୍ନର ସଂଘ ପକ୍ଷରୁ ପୋଲିସ ପ୍ରଶାସନର କାର୍ଯ୍ୟଧାରକୁ ନେଇ ପ୍ରଶ୍ନ ଉଠାଯିବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବିଜେପି। ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପର୍ଯ୍ୟାୟକ୍ରମେ ଦଳୀୟ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିବାକୁ କୁହାଯାଇଛି। ତେବେ ଆସନ୍ତାକାଲିଠାରୁ ଏହା ଆରମ୍ଭ ହୋଇଯିବ। କର୍ମୀମାନେ ବିକ୍ଷୋଭ କରିବେ କି ଧାରଣା ଦେବେ, ତାହା ସେମାନେ ନିଷ୍ପତ୍ତି କରିବେ। ଏହା ସହିତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଥିବା ସେ କହିଛନ୍ତି। ଅଭିଯୁକ୍ତକୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି।

ଏହି ଘଟଣା ପ୍ରତିବାଦରେ ଆଜି ସନ୍ଧ୍ୟାରେ ମହିଳା କଂଗ୍ରେସ କର୍ମୀମାନେ ମୁହଁରେ ପଟି ଦେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏକ ଶୋଭାଯାତ୍ରାରେ ବାହାରିବା ସହ ଧାରଣା ଦେଇଥିଲେ। ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିଲା ବେଳେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଖୁବଶୀଘ୍ର ତା’ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯିବ। ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯିବ। ସେହିପରି ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର କରିବା ପାଇଁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି।

ଦୁଷ୍କର୍ମର ଶିକାର ନାବାଳିକାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ପୀଡ଼ିତା ନାବାଳିକାକୁ କ୍ୟାପିଟାଲ୍ ହସ୍ପିଟାଲରେ ଗାଇନିକ୍, ସର୍ଜରୀ ଓ ମେଡିସିନ୍ ବିଭାଗର ଡାକ୍ତର ଚିକିତ୍ସା କରୁଛନ୍ତି। ୫ ଦିନ ପର୍ଯ୍ୟନ୍ତ ପୀଡ଼ିତାକୁ ଅବଜରଭେସନରେ ରଖାଯିବ ବୋଲି ତାକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଆଜି ମହିଳା କମିଶନର ଲୋପାମୁଦ୍ରା ବକ୍ସିପାତ୍ର ଚିକିତ୍ସାଳୟକୁ ଆସି ପୀଡ଼ିତାଙ୍କୁ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଥିଲେ। ଏହି ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବା ସହ ଶୀଘ୍ର ରାୟ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସେ ସରକାରଙ୍କୁ କହିବେ ବୋଲି କହିଛନ୍ତି।

ଏନସିପିର ଜାତୀୟ ମହିଳା ସଭାପତି ଡକ୍ଟର ପୌଜିଆ ଖାଁ ମଧ୍ୟ ଆଜି କ୍ୟାପିଟାଲ୍ ହସ୍ପିଟାଲ ଯାଇ ପୀଡ଼ିତାକୁ ଭେଟିଥିଲେ।  ସେ ଘଟଣାକୁ ନିନ୍ଦା କରିବା ସହ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।

ଜଟଣୀ ଲୋକୋ କଲୋନୀରେ ମଙ୍ଗଳବାର ବିଳମ୍ୱିତ ରାତିରେ ଝିଅଟି ପରିବାର ଲୋକଙ୍କ ସହିତ ଶୋଇଥିବା ବେଳେ ଅଭିଯୁକ୍ତ ତାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକା ଜଣକ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଅହିରାଜ ନାୟକକୁ ଗିରଫ କରିଥିଲା।