ଜୟପୁର: ବସ୍‌ ଦୁର୍ଘଟଣାରେ ୨ ମୃତ, ୧୩ ଆହତ

ଜୟପୁର: ମହାଶିବରାତ୍ରି ଅବସରରେ ଗୁପ୍ତେଶ୍ୱରଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତମାନେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ପପଲୁରରୁ କିଛି ଶ୍ରଦ୍ଧାଳୁ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଇଥିଲେ। ବାବାଙ୍କ ଦର୍ଶନ ସାରି ବସ୍‌ରେ ଫେରୁଥିବା ବେଳେ ଶିରିବେଡା ନିକଟରେ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା।

ମୁଖ୍ୟମନ୍ତ୍ରୀ ଏ ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।