ଜୀବନ ହାରିଲେ ଆଉ ୪ ଚାଷୀ

ବଲାଙ୍ଗିର/ଢେଙ୍କାନାଳ/ଯାଜପୁର/ନୂଆପଡ଼ା: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଜଳ କର ଛାଡ଼ ହେବ। ଋଣ ଆଦାୟ କରାଯିବ ନାହିଁ। କ୍ଷତିପୂରଣ ଦିଆଯିବ। ଏଭଳି ଏକାଧିକ ଘୋଷଣା ସତ୍ତ୍ୱେ ରାଜ୍ୟରେ ଫସଲହାନି ଜନିତ ଚାଷୀ ଆତ୍ମହତ୍ୟା ଅଭିଯୋଗ ଧାରା ଅବ୍ୟାହତ ରହିଛି। ଗତକାଲି ଅନୁଗୋଳ ଓ କଳାହାଣ୍ଡିରୁ ଦୁଇଟି ଚାଷୀ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ଆଜି ୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ୪ ଚାଷୀ ହେଉଛନ୍ତି ବଲାଙ୍ଗିର, ଢେଙ୍କାନାଳ, ଯାଜପୁର ଓ ନୂଆପଡ଼ା ଜିଲ୍ଲାର। ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା […]

nuapada

nuapada

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 03:25 PM IST

Sports

Latest News

ବଲାଙ୍ଗିର/ଢେଙ୍କାନାଳ/ଯାଜପୁର/ନୂଆପଡ଼ା: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଜଳ କର ଛାଡ଼ ହେବ। ଋଣ ଆଦାୟ କରାଯିବ ନାହିଁ। କ୍ଷତିପୂରଣ ଦିଆଯିବ। ଏଭଳି ଏକାଧିକ ଘୋଷଣା ସତ୍ତ୍ୱେ ରାଜ୍ୟରେ ଫସଲହାନି ଜନିତ ଚାଷୀ ଆତ୍ମହତ୍ୟା ଅଭିଯୋଗ ଧାରା ଅବ୍ୟାହତ ରହିଛି। ଗତକାଲି ଅନୁଗୋଳ ଓ କଳାହାଣ୍ଡିରୁ ଦୁଇଟି ଚାଷୀ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ଆଜି ୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ୪ ଚାଷୀ ହେଉଛନ୍ତି ବଲାଙ୍ଗିର, ଢେଙ୍କାନାଳ, ଯାଜପୁର ଓ ନୂଆପଡ଼ା ଜିଲ୍ଲାର।

ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା ଯୁବ ଚାଷୀଙ୍କ ନାମ ଲକ୍ଷ୍ମୀଧର ପୁଟେଲ୍। ତାଙ୍କ ଘର ବେଲପଡ଼ାରେ। ସେ ବିଷ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

ସେ କପା ଚାଷ କରିଥିଲେ। ତେବେ ଫସଲ ନଷ୍ଟ ହେବା ଯୋଗୁଁ ସେ ଚିନ୍ତିତ ଥିଲେ। କପା ଚାଷ ପାଇଁ ସେ ଋଣ ବି କରି ଥିଲେ। ଫସଲ ଭଲ ହୋଇ ନ ଥିବା ଯୋଗୁଁ ଋଣ ଶୁଝିବା ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଢେଙ୍କାନାଳରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଭ୍ରମର ନାୟକ। ତାଙ୍କ ଘର ଜିଲ୍ଲାର ଓଡ଼ାପଡ଼ା ବ୍ଲକର ଓସ୍ତପାଳ ଗାଁରେ। ଫସଲହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋ ହୋଇଛି। ସେ ଆଜି ସକାଳେ ବିଷ ପିଇ ଦେଇଥିଲେ। ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯାଜପୁର ଜିଲ୍ଲାରେ ପ୍ରାଣ ହାରି ଥିବା ଚାଷୀଙ୍କ ନାମ ସାଧୁ ଲାଗୁରୀ। ତାଙ୍କ ଘର ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଗରାମିଆରେ। ସେ ଜଣେ ଭାଗଚାଷୀ ଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ସେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସେହିଭଳି ନୂଆପଡ଼ାରେ ପ୍ରାଣ ହାରିଥିବା ଚାଷୀଙ୍କ ନାମ ସାଧୁ ନିଆଲ। ତାଙ୍କ ଘର କୋମନା ଜୁନାଗଡ଼ପଡ଼ାରେ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ପରିବାର ଭରଣ ପୋଷଣ ଓ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ସାଧୁ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ୧୫ହଜାର ଟଙ୍କା ହାତ ଉଧାର କରିଥିଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ହଜାର ଟଙ୍କା ଋଣ କରିଥିଲେ। ଫସଲ ଉଜୁଡି ଯିବାରୁ ଏହି ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଥିଲେ ମୃତ ସାଧୁ।

ଅକ୍ଟୋବର ୨୯ରେ ସରକାର ଦେଇଥିବା ରିପୋର୍ଟକୁ ହିସାବକୁ ନେଲେ ଏହି ଦୁଇ ମୃତ୍ୟୁ ସହିତ ବଲାଙ୍ଗିର ଓ ନୂଆପଡ଼ାରେ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ ଚାଷୀ ଆତ୍ମହତ୍ୟା ଅଭିଯୋଗ ୫ ଓ ୪ରେ ପହଞ୍ଚିଛି। ସେହିପରି ଢେଙ୍କାନାଳରେ ଚାଷୀ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛନ୍ତି। ସେହିପରି ସାରା ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୪୭ (ଗତକାଲି ଅନୁଗୋଳ ଓ କଳାହାଣ୍ଡିର ଚାଷୀ ମୃତ୍ୟୁକୁ ମିଶାଇ) ଛୁଇଁଛି।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ୧୫ଟି ଜିଲ୍ଲାରେ ୪୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।  ଜିଲ୍ଲାପାଳମାନଙ୍କଠାରୁ ପାଇଥିବା ସୂଚନା ଆଧାରରେ ସରକାର ଏଇ କଥା କହିଥିଲେ। ତେବେ ଏମାନଙ୍କ ମଧ୍ୟରୁ କେହି ବି ଫସଲହାନି କିମ୍ବା ଋଣଭାର ଯୋଗୁଁ ଆତ୍ମହତ୍ୟା କରି ନଥିବା ସରକାର କହିଥିଲେ। ଏଥିରୁ ଅନେକ ଆତ୍ମହତ୍ୟା ପଛରେ ପାରିବାରିକ କଳହ ଓ କିଛି କ୍ଷେତ୍ରରେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଅନ୍ୟ କେତେକ କ୍ଷେତ୍ରରେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଚାଷ କାମ ସହ ସଂପୃକ୍ତ ନଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି।

ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା ଖବର ଆସିଛି ବରଗଡ଼ରୁ। ଏହି ଜିଲ୍ଲାରେ ୧୫ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ସେହିପରି ବଲାଙ୍ଗିରରେ ୪, ନୂଆପଡ଼ା, ସମ୍ବଲପୁର ଓ କଟକରେ ୩ ଜଣ ଲେଖାଏଁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବାଲେଶ୍ୱର, ଢେଙ୍କ।ନାଳ, ଝାରସୁଗୁଡା, ଖୋର୍ଦ୍ଧା ଓ କେନ୍ଦୁଝରରେ ଜଣେ ଲେଖାଏଁ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଜିଲ୍ଲାପାଳମାନଙ୍କ ଏଭଳି ରିପୋର୍ଟକୁ ଗ୍ରହଣ କରି ପାରି ନାହାନ୍ତି। ସରକାରଙ୍କ ଇସାରାରେ ଜିଲ୍ଲାପାଳମାନେ ଭୁଲ୍ ରିପୋର୍ଟ ଦେଇଥିବା ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos