ଜୀବନ ହାରିଲେ ଆଉ ଜଣେ ଚାଷୀ

ବରଗଡ଼: ଫସଲହାନି ଓ ଋଣବୋଝ ଯୋଗୁଁ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ସୋନପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଲ ଗାଁର ଆକାଶ ଭୋଇ। ଗତକାଲି ସେ କୀଟନାଶକ ପିଇଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲାର ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆକାଶ ନିଜର ଏକ ଏକର ଜମିରେ ଚାଷ କରିଥିଲେ। ଆଉ ୨ ଏକର ଭାଗ ଚାଷ କରିଥିଲେ। ଚାଷ ପାଇଁ ରଣ କରିଥିବାବେଳେ ସ୍ୱଳ୍ପବର୍ଷା ଯୋଗୁ ଫସଲହାନି ହୋଇଥିଲା। ଏଥିଯୋଗୁଁ ଆକାଶ ଚିନ୍ତାଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ସୋସାଇଟିରୁ ଓ ହାତ ଉଧାରି ଭାବେ ପ୍ରାୟ ୬୦ ହଜାର ଟଙ୍କା ଋଣ କରିଥିଲେ ବୋଲି ତାଙ୍କ ଭାଇ ସଂଜୟ ନାଏକ କହିଛନ୍ତି।