ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ରେ ସଂଶୋଧନକୁ ବିଜେପିର ବିରୋଧ: ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ ୧୯୯୪ର ଧାରା ୫୧ର ସଂଶୋଧନ କରିଛନ୍ତି। ସରକାରଙ୍କ ଏପରି ପଦକ୍ଷେପକୁ ବିଜେପି କଡା ସମାଲୋଚନା କରିଛି। ଏପରି ସଂଶୋଧନ ବେଆଇନ, ଅସାମ୍ବିଧାନିକ ବୋଲି କହି ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭ୍ୟ ସୁଖରାମ ମୁଣ୍ଡାଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ମାମଲା କରାଯାଇଛି। ଏନେଇ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି।

ଏହି ପ୍ରସଙ୍ଗରେ ଦଳ କୋର୍ଟକୁ ଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଚେତାବନୀ ଦେଇଥିଲେ।

ହରିଚନ୍ଦନ କହିଥିଲେ,“ସଂଶୋଧନକୁ ସରକାର ପ୍ରତ୍ୟାହର ନ କଲେ ଆମେ କୋର୍ଟକୁ ଯିବୁ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଆଇନରେ ସଂଶୋଧନ ହୋଇପାରିବ ନାହିଁ। କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଧାନସଭା ଚାଲିଥିବାରୁ ବିଲ୍‌ ସଂଶୋଧନ ପାଇଁ ଗୃହକୁ ବିଶ୍ୱାସକୁ ନିଆଯିବାର ଥିଲା।”

ବିଜେପିର ଚେତାବନୀ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ଏପରି ସଂଶୋଧନ କରାଯାଇଛି। ଦଳ ବଦଳ ଓ ଘୋଡା ବେପାର ରୋକିବାକୁ ଏହା ସହାୟକ ହେବ।”

ସେ ଆହୁରି କହିଛନ୍ତି,“ନିର୍ବାଚନ ପାଇଁ ଯେଉଁମାନେ ଟଙ୍କା ଲଗାଇଥିଲେ ବିଲ୍‌ ସଂଶୋଧନ ପରେ ସେମାନେ ବିଚଳିତ ହୋଇପଡିଛନ୍ତି।”

ସୂଚନାଯୋଗ୍ୟ, ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ ୧୯୯୪ର ଧାରା ୫୧ର ସଂଶୋଧନ ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ଏଣିକି ପ୍ରତ୍ୟେକ ରାଜନୈତିକ ଦଳରୁ ଏଜେଣ୍ଟ ରହିବେ। ରାଜନୈତିକ ଦଳ ଗୁଡିକ ଏହି ଏଜେଣ୍ଟଙ୍କୁ ନିଯୁକ୍ତି ଦେବେ। ଜିଲ୍ଲା ପରିଷଦ ସଭ୍ୟମାନେ କାହାକୁ ଭୋଟ୍‌ ଦେଲେ ତାହା ଏଜେଣ୍ଟଙ୍କୁ ଦେଖାଇବେ।