ଯୁକ୍ତଦୁଇରେ ସଂସ୍କାର ନେଇ କାର୍ଯ୍ୟକାରୀ ହୋଇପାରୁନି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସୁପାରିଶ

ଭୁବନେଶ୍ୱର: ଯୁକ୍ତ ଦୁଇ ସିଲାବସ୍ ଓ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗଠନ ହୋଇଥିଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଗତବର୍ଷ ମାର୍ଚ୍ଚ ୭ ତାରିଖରେ ଏହି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲା। ତେବେ କେବଳ ସିବିଏସ୍ଇ ଢାଞ୍ଚାରେ ସିଲାବସ୍ ପରିବର୍ତ୍ତନ ବ୍ୟତୀତ କମିଟିର ଅନ୍ୟ ସୁପାରିଶକୁ ଏଯାଏଁ କାର୍ଯ୍ୟକାରୀ କରିନାହାନ୍ତି ସରକାର। କମିଟି ରିପୋର୍ଟକୁ ଉଚ୍ଚଶିକ୍ଷା ବିଭାଗ ଅଣଦେଖା କରିଥିବା ଅଭିଯୋଗ ହେଉଛି। ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି କମିଟି ଦେଇଥିବା ପ୍ରସ୍ତାବ ଉପରେ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ।

ଏ ନେଇ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଅଧ୍ୟକ୍ଷ ଅମୂଲ୍ୟ ପଣ୍ଡା କହିଛନ୍ତି, କିଛି ମୁଖ୍ୟ ସୁପାରିଶକୁ ଏର୍ଯ୍ୟନ୍ତ ସରକାର ଲାଗୁ କରିନାହାନ୍ତି। ବ୍ୟକ୍ତିତ୍ୱ ବିକାଶ ପାଇଁ ଲାଇଫ୍ ସ୍କିଲ୍ ଡେଭଲପମେଣ୍ଟ ନାମକ ଏକ ବିଷୟ ରହିଛି, ଯାହାକି ୧୦୦ ମାର୍କ ବିଶିଷ୍ଟ। ଏହା ଆରମ୍ଭ ହେବା କଥା ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ମାର୍ଚ୍ଚ ମାସରୁ ରିପୋର୍ଟ ଦିଆଯାଇଥିବାରୁ ୨୦୧୫-୧୬ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଷୟବସ୍ତୁ ଲାଗୁ ହୋଇ ପାରିଥାନ୍ତା। ଯାହା ଏପର୍ଯ୍ୟନ୍ତ କରାଯାଇନାହିଁ। ଗୋଟିଏ ବର୍ଷ ଅଯଥାରେ ନଷ୍ଟ ହୋଇଗଲା। ଏହାସହ ନୂଆ ବିଷୟ ସବୁ ଆରମ୍ଭ କରିବା କଥା କିଛି ଆଗେଇ ପାରିନି ବୋଲି କହିଛନ୍ତି ଅଧ୍ୟକ୍ଷ ପଣ୍ଡା।

ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଅମୂଲ୍ୟ ପଣ୍ଡା ଅଧ୍ୟକ୍ଷତାରେ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। କମିଟି ଦେଇଥିବା ରିପୋର୍ଟକୁ ଆଧାର କରି ଯୁକ୍ତଦୁଇ ସିଲାବସରେ ପରିବର୍ତ୍ତନ କରିବା ପାଇଁ ଯୋଜନା ଚାଲିଛି। ଏହାସହ ଅନ୍ୟ ଯେଉଁସବୁ ସୁପାରିଶ କରିଛନ୍ତି ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ର ବାର୍ଷିକ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଅଭିଯୋଗ ପରେ ଯୁକ୍ତଦୁଇରେ ସଂସ୍କାର ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଥିଲା। ଯୁକ୍ତଦୁଇରେ ଦୁଇଟି ପରୀକ୍ଷା କରିବା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଜସ୍ୱ ରେଜଲ୍ଟ ପ୍ରସେସିଂ ୟୁନିଟ୍ ପ୍ରତିଷ୍ଠା, ଗୋଟିଏ ଖାତାକୁ ଏକାଧିକ ପରୀକ୍ଷକ ଦେଖିବା ଓ ଲାଇଫ୍ ସ୍କିଲ ଡେଭଲପମେଣ୍ଟ ବିଷୟକୁ ବାଧ୍ୟତାମୂଳକ କରିବା ଆଦି ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଉପରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ନ ଥିବାରୁ ସଂସ୍କାର ପ୍ରକ୍ରିୟାର ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଛି।