କବିତା ମହାକୁଡ଼ଙ୍କୁ ମୁଁ ବାହା ହୋଇନାହିଁ: ପଙ୍କଜ   

letter
ପଙ୍କଜଙ୍କ ବୟାନ

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବିବାଦ ପ୍ରସଙ୍ଗରେ ଭୁବନେଶ୍ୱର ମହିଳା ଥାନା ଆଇଆଇସି ତାଙ୍କ ପୁଅ ପଙ୍କଜଙ୍କୁ ତାଙ୍କ ଘରେ ଭେଟି ବୟାନ ରେକର୍ଡ କରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ୧୬୧ରେ ଗ୍ରହଣ କରାଯାଇଥିବା ଏହି ବୟାନ ଏବେ ଲୋକଲୋଚନକୁ ଆସିଛି। ଏଥିରେ ସେ କବିତା ମହାକୁଡ଼ଙ୍କ ସହିତ ପ୍ରେମ ସଂପର୍କକୁ ଅସ୍ୱୀକାର କରିବା ସହିତ ବିବାହ କଥାକୁ ବି ଖଣ୍ଡନ କରିଛନ୍ତି। ସେହିପରି କବିତାଙ୍କ ସହିତ ମାଲକାନଗିରି ଅବା ଅନ୍ୟ କୌଣସି ସ୍ଥାନରେ ରହି ନାହାନ୍ତି ବୋଲି ସେ କହିଛନ୍ତି। କବିତାଙ୍କ ସବୁ ଅଭିଯୋଗ ମିଛ ବୋଲି ସେ ନିଜ ବୟାନରେ କହିଛନ୍ତି।

ପଙ୍କଜ ତାଙ୍କ ବୟାନରେ କହିଛନ୍ତି,“ମୋର ବଡ଼ ବାପାଙ୍କର ପୁଅ ହେଉଛନ୍ତି ତାରେଣୀ ମହାକୁଡ଼। ତାଙ୍କ ବାହାଘର କେନ୍ଦୁଝରର ଜାମୁନାଳିଆର ବିଶ୍ୱମ୍ବର ମହାକୁଡ଼ଙ୍କର ଝିଅ ଝରଣା ମହାକୁଡ଼ଙ୍କ ସହିତ ହୋଇଛି। ଭାଇର ବାହାଘର ପରେ ମୁଁ ମଝିରେ ମଝିରେ ଭାଉଜଙ୍କ ଘରକୁ ଯିବା ଆସିବା କରୁଥିଲି। ଭାଉଜଙ୍କ ଘରକୁ ଯିବାଆସିବା କରିବାରେ ମୁଁ ଭାଉଜଙ୍କର ଭାଉଜ କବିତା ମହାକୁଡ଼ଙ୍କୁ ଜାଣିଲି। ମୁଁ ତାଙ୍କ ଘରକୁ ଯିବା ସମୟରେ ଭାଉଜଙ୍କ ଭାଉଜ ହିସାବରେ କବିତା ମହାକୁଡ଼ଙ୍କ ସହିତ କଥାବାର୍ତ୍ତା କରେ। କବିତା ମହାକୁଡ଼ଙ୍କ ସହିତ ମୋର କୌଣସି ପ୍ରେମ ସଂପର୍କ ନାହିଁ ବା ନ ଥିଲା। ମୁଁ ତାଙ୍କ ସହ କେବେ କୌଣସି ମୋବାଇଲ୍ ନମ୍ବରରୁ କଥା ହୋଇ ନାହିଁ। ମୁଁ କବିତା ମହାକୁଡ଼ଙ୍କୁ ବାହା ହୋଇନାହିଁ କିମ୍ବା ତାଙ୍କ ସହ କେଉଁ ଆଡ଼େ ବୁଲିବାକୁ ଯାଇ ନାହିଁ। ମାଲକାନଗିରି ମୁଁ ଦେଖି ନାହିଁ କି କବିତା ସହ ମୁଁ ମାଲକାନଗିରିରେ କିମ୍ବା ଅନ୍ୟ କେଉଁଠି ରହି ନାହିଁ। ମୁଁ କବିତା ସହ କିମ୍ବା ତାର ଝିଅମାନଙ୍କ ସହ କେବେ ଫଟୋ ଉଠାଇ ନାହିଁ। ମୁଁ କବିତାର ସାନଭାଇକୁ କବିତାର ଶାଶୁ ଘରେ ଦେଖିଥିଲି। କିନ୍ତୁ ତା’ର ନାଁ ଜାଣି ନାହିଁ। କିମ୍ବା ତା’ସହ କୌଣସି ଫଟୋ ଉଠାଇ ନାହିଁ। କବିତା ସହ ମୋର କେବେ ଶାରୀରିକ ସଂପର୍କ ରହି ନାହିଁ କି ମୋର କୌଣସି ଛୁଆ କବିତା ଜନ୍ମ କରିବା କଥା ମୁଁ ଜାଣି ନାହିଁ। ମୋର କୌଣସି ଝିଅ ନାହାନ୍ତି। କବିତା ତା’ର ଛୁଆ ଓ ତା’ସହ ମୋର ଫଟୋ କୋଉଠୁ ନେଇ ଜଏଣ୍ଟ କରି ରଖିଥିବ ମୁଁ ଜାଣି ନାହିଁ।”

ପଙ୍କଜ ତାଙ୍କ ବୟାନରେ ଆହୁରି ମଧ୍ୟ କହିଛନ୍ତି,“ ମୋର ଏଟିଏମ୍, ଡେବିଟ୍ କାର୍ଡ ମୁଁ କବିତାକୁ ଦେଇ ନାହିଁ। ତାହାକୁ ମୁଁ ପାଉ ନ ଥିବାରୁ ଏବେ ନୂଆ କରି ଆଉ ଥରେ ବନାଇଛି। କବିତା ମହାକୁଡ଼ ଆମ ଘରକୁ କେବେ ଆସିଥିବା କଥା ମୁଁ ଜାଣି ନାହିଁ। ମୁଁ ତ ମାଲକାନଗିରି ଦେଖି ନାହିଁ କି ସେଠାରେ କେବେ ରହି ନାହିଁ। ମୋର ଭିଣୋଇ କାହିଁକି ମୋତେ ଆଣିବାକୁ ମାଲକାନଗିରି ଯିବେ? ଏ ସବୁ ମିଛ କଥା। କବିତା ମହାକୁଡ଼ଙ୍କର ଦୁଇ ଝିଅଙ୍କର ସ୍କୁଲ୍ ଆଡ୍‌ମିଶନ୍‌ ବେଳେ ମୋର ନାଁ ବାପାଙ୍କ ନାଁ ସ୍ଥାନରେ ଲେଖାଥିବା ମୁଁ ଜାଣିନାହିଁ। ସେ ବିଷୟରେ ମୁଁ କିଛି କହିପାରିବି ନାହିଁ। ମୁଁ କେବେ ମାଲକାନଗିରିରେ ରକ୍ତ ପରୀକ୍ଷା କରି ନାହିଁ।”

ସେ କହିଛନ୍ତି,“ ମୁଁ ୨୦୧୫ ଅଗଷ୍ଟ ୨୧ରେ ବାପାଙ୍କ ମାନସିକ ଅନୁସାରେ ପୁରୀର କୋଣାର୍କ ପାଖରେ ଥିବା ରାମଚଣ୍ଡି ମନ୍ଦିରରେ ନିଜ ଇଚ୍ଛାରେ ଆରେଞ୍ଜ ମ୍ୟାରେଜ୍ କରିଛି। ମୋତେ ବାପା ସନାତନ ମହାକୁଡ଼ ଓ ଭିଣୋଇ ଦୀନବନ୍ଧୁ ବାରିକ ଜବରଦସ୍ତି ବାହା କରେଇ ନାହାନ୍ତି କିମ୍ବା ମୋତେ ସେମାନେ ଜବରଦସ୍ତି ଅଟକ ରଖି ନାହାନ୍ତି। ମୁଁ କବିତା ମହାକୁଡ଼ଙ୍କୁ ମୋର ବାହାଘର ବିଷୟରେ କିଛି କହି ନାହିଁ। ମୋ ନାଁରେ ଏ ସବୁ ମିଛ କଥା ପ୍ରଚାର ହେଉଛି। ମୁଁ ମହିଳା କମିଶନ ଭୁବନେଶ୍ୱରଙ୍କ ନୋଟିସ୍ ଅନୁସାରେ ସେଠାକୁ ଯାଇ ଦେଖା କରିଥିଲି। କବିତା ମହାକୁଡ଼ଙ୍କୁ କେବଳ ଭାଉଜଙ୍କ ସଂପର୍କୀୟ ବୋଲି ମୁଁ ଜାଣିଛି।”

ଅନ୍ୟପକ୍ଷରେ କବିତା ମହାକୁଡ଼ କହିଛନ୍ତି,“ପଙ୍କଜ ମିଛ କହୁଛନ୍ତି। ସେ ଯଦି ସତ କହୁଛନ୍ତି ତା’ହେଲେ ମୋତେ ଲୁଚୁଛନ୍ତି କାହିଁକି? ମୋତେ ଦେଖା କରୁ ନାହାନ୍ତି କାହିଁକି? ଡିଏନ୍‌ଏ ଟେଷ୍ଟ୍ କଲେ ସବୁ ସତ କଥା ଜଣାପଡ଼ିବ। ସେ ଯଦି ମୋ ଝିଅର ବାପା ବୋଲି ରାଜି ମାନିବେ ନାହିଁ, ତା’ହେଲେ ମୁଁ କୋର୍ଟଙ୍କ  ଦ୍ୱାରସ୍ଥ ହେବି। ତାଙ୍କ ଘର ଆଗରେ ଅନଶନରେ ବସିବି।”

ସୂଚନାଯୋଗ୍ୟ, ଏପ୍ରିଲ୍ ୮ ତାରିଖରେ ଭୁବନେଶ୍ୱର ମହିଳା ଥାନା ଆଇଆଇସି କେନ୍ଦୁଝର ଯାଇ ୧୬୧ରେ ପଙ୍କଜଙ୍କ ବୟାନ ରେକର୍ଡ କରିଥିଲେ। ମହିଳା ଥାନା ଆଇଆଇସି ପଙ୍କଜଙ୍କୁ ତାଙ୍କ ଘରେ ଭେଟି ବୟାନ ରେକର୍ଡ କରିବା ଘଟଣାକୁ ବିଭିନ୍ନ ଆଡୁ ସମାଲୋଚନା କରାଯିବା ପରେ ପୋଲିସ୍ କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।