କନ୍ଧମାଳ: ସୁରକ୍ଷାକର୍ମୀଙ୍କୁ ଗୁଳିରେ ୫ ଜଣ ନୀରିହ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି କର୍ତ୍ତମଗୁଡରେ କଂଗ୍ରେସ ବିଧାୟକ ଦଳ ଓ ବିଜେପି କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି। କଂଗ୍ରେସ ଟିମ୍ ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଥିବା ବେଳେ ବିଜେପିର କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ଗୁଳିକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାର ଓ ପୀଡିତଙ୍କୁ ଭେଟିବେ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଉପନେତା ଚିରଞ୍ଜୀବ ବିଶ୍ୱାଳ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନପତିଙ୍କ ସମେତ ବିଧାୟକ ଦଳ ସଦସ୍ୟ ଓ ଦଳର ବରିଷ୍ଠ ନେତାମାନେ ଆଜି କନ୍ଧମାଳରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଟିମ୍ ମୃତକ ଓ ଆହତଙ୍କ ପରିବାର ବର୍ଗଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ସେମାନେ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି, “ଗୁଳିକାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। କେଉଁ କାରଣରୁ ଏପରି ଘଟଣା ଘଟିଲା ? ଏଥିପାଇଁ କିଏ ଦାୟୀ ? ତାହା ଜାଣିବାକୁ ଆମେ ଏଠାକୁ ଆସିଛୁ। ଆଗାମୀ ଦିନରେ କିଭଳି ଏହି ଘଟଣାର ପୁନରାବୃତ୍ତି ନ ଘଟିବ ତାହା ଅନୁଧ୍ୟାନ କରିବୁ।”
ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବାକୁ ବିଜେପି କେନ୍ଦ୍ରୀୟ ଟିମ୍ ଫୁଲବାଣୀରେ ପହଞ୍ଚିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବିନୟ ସହସ୍ରବୁଦ୍ଧେ, ସମ୍ପାଦକ ରାମବିଚାର ନେତମ୍ ଏବଂ ସମ୍ପାଦିକା ଜ୍ୟୋତି ଧୁର୍ବେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ଫୁଲବାଣୀ ଯାଇଛନ୍ତି। ଆସନ୍ତାକାଲି ସେମାନେ ଗୁଳିକାଣ୍ଡରେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଗୁଳିକାଣ୍ଡ ସ୍ଥଳ କରିଦର୍ଶନ କରିବେ। କନ୍ଧମାଳରୁ ଫେରିବା ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ପ୍ରଦାନ କରିବ।
ବିଜେପି ରାଷ୍ଟ୍ରୀୟ ଉପସଭାପତି ସହସ୍ରବୁଦ୍ଧେ କହିଛନ୍ତି, “ଏଠାରେ ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବୁ। ଏହାକୁ ଦଳର ଅଧ୍ୟକ୍ଷଙ୍କୁ ଦେବୁ। ଦଳ ଆମକୁ ଯେଉଁ କାମ ଦେଇଛି ତାହା ସମାପ୍ତ କରି ୨ରୁ୪ ଦିନ ମଧ୍ୟରେ ରିପୋର୍ଟ ଦେବୁ।”
ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଟିମ୍ କନ୍ଧମାଳ ଯିବାକୁ ବିଜେଡି ସମାଲୋଚନା କରିଛି। ଉଭୟ ଦଳ ଘଟଣାକୁ ରାଜନୀତିକରଣ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ଏସ୍ସି ଓ ଏସ୍ଟି କମିଶନ ଆସି ତଦନ୍ତ କରି ଯାଇଛନ୍ତି। ଜାତୀୟ ମାନବାଧିକାର କମିଶନ ମଧ୍ୟ ଅନୁଧ୍ୟାନ ପାଇଁ ଆସିବେ। ତଦନ୍ତ ପାଇଁ ଏସ୍ଆଇଟି ବି ଗଠନ ହୋଇଛି। ଏହାସତ୍ତ୍ୱେ ବିରୋଧୀ ଦଳ ଗୁଡିକ କନ୍ଧମାଳ ଯାଉଛନ୍ତି। ଏହାର କିଛି ଲାଭ ହେବନାହିଁ। ଏଥିରୁ ମାଇଲେଜ୍ ନେବାକୁ ଚାହୁଁଛନ୍ତି। ଏହା ତାଙ୍କ ପାଇଁ ବୁମେରାଙ୍ଗ ହେବ।”
ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଜାତୀୟ ଏସ୍ସି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଘଟଣାକୁ ନେଇ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମାଓବାଦୀ ଅଞ୍ଚଳରେ ପୋଲିସକୁ ସମ୍ବେଦନଶୀଳ ହୋଇ କାମ କରିବାକୁ ପଡିବ। କିଛି ବଡ଼ ଧରଣର ପଦକ୍ଷେପ ନେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ମାଓବାଦୀ କି ନୁହେଁ ଭଲ ଭାବେ ଜାଣିବା ଦରକାର। ଏଥିପାଇଁ ପୋଲିସକୁ ସାବଧାନ ହେବାକୁ ପଡିବ। କନ୍ଧମାଳରେ ପୋଲିସ ବିନା ସାବଧାନତାରେ ଗୁଳି କରିଛି। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ଏସ୍ଆଇଟି ଗଠନ କରିଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ତଦନ୍ତ ଶୀଘ୍ର ସରିବା ଦରକାର। ଏହି ଗୁଳିକାଣ୍ଡ ଘଟଣାର ରିପୋର୍ଟ ସର୍ବାଧିକ ୩ ମାସ ମଧ୍ୟରେ ଆସିବା ଦରକାର।”
ସେ କହିଛନ୍ତି, “ସେଠାରେ କୌଣସି କ୍ରସ ଫାୟାରିଂ ହୋଇ ନ ଥିଲା। ସ୍ଥାନୀୟ ଲୋକଙ୍କ ବୟାନରୁ ଲାଗୁଛି ମାଓବାଦୀମାନେ ଗୁଳି ଚଳାଇ ନାହାନ୍ତି। କମିଶନ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଏ ନେଇ ଆଲୋଚନା କରିବ। ଗୃହମନ୍ତ୍ରୀ ସୁରକ୍ଷା ଅଧିକାରୀମାନଙ୍କୁ ଡାକି ସେଠାରେ କ’ଣ ହେଉଛି, ସୁରକ୍ଷାକର୍ମୀ ସେଠାରେ କିପରି ଭାବେ କାର୍ଯ୍ୟ କରିବା ଦରକାର ସେ ବିଷୟରେ ଆଲୋଚନା କରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।