କନ୍ଧମାଳ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ: ଏସ୍‌ସି କମିଶନ

କନ୍ଧମାଳ: ଜାତୀୟ ଏସ୍‌ଟି କମିଶନଙ୍କ ପରେ ଏସ୍‌ସି କମିଶନ ଅଧ୍ୟକ୍ଷ ପି.ଏଲ. ପୁନିଆ କନ୍ଧମାଳ ଯାଇ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଏଭଳି କାଣ୍ଡ ପାଇଁ ସେ କ୍ଷୋଭ ପ୍ରକାଶ କରି ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି। ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ମତ ପ୍ରକାଶ କରିଛନ୍ତି। କନ୍ଧମାଳରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା? ସୁରକ୍ଷାକର୍ମୀ ନୀରିହ ଆଦିବାସୀଙ୍କ […]

punia

punia

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 11:01 PM IST

puniaକନ୍ଧମାଳ: ଜାତୀୟ ଏସ୍‌ଟି କମିଶନଙ୍କ ପରେ ଏସ୍‌ସି କମିଶନ ଅଧ୍ୟକ୍ଷ ପି.ଏଲ. ପୁନିଆ କନ୍ଧମାଳ ଯାଇ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଏଭଳି କାଣ୍ଡ ପାଇଁ ସେ କ୍ଷୋଭ ପ୍ରକାଶ କରି ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି। ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ମତ ପ୍ରକାଶ କରିଛନ୍ତି।

କନ୍ଧମାଳରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା? ସୁରକ୍ଷାକର୍ମୀ ନୀରିହ ଆଦିବାସୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ? ଅଘଟଣ ପରେ ସୁରକ୍ଷାକର୍ମୀଙ୍କ ପଦକ୍ଷେପ କ’ଣ ଥିଲା? ଏସବୁ ପ୍ରଶ୍ନର ଯାଞ୍ଚ ଚାଲିଛି। ଆଜି ଜାତୀୟ ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ ପି.ଏଲ. ପୁନିଆ ବାଲିଗୁଡା ଯାଇ ଟିକିନିଖି ତଥ୍ୟ ସଂଗ୍ରହ କରିଛନ୍ତି। ପରେ ମୃତକଙ୍କ ପରିବାର ସଦସ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ପୁନିଆ କହିଛନ୍ତି, “ଯେଉଁଠି କ୍ରସ୍‌ ଫାୟାରିଂ ହୋଇଥାଏ ସେଠାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥାଏ ଓ କିଛି ଆହତ ହୋଇଥାନ୍ତି। ଏଠାରେ ଗୋଟିଏ ପଟୁ ଗୁଳିମାଡ଼ ହେବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ କି କି ପଦକ୍ଷେପ ନିଆଯିବା ଦରକାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଡାକି ଆଲୋଚନା କରିବୁ। ଦିଲ୍ଲୀରୁ ଘଟଣା ଉପରେ ନଜର ରଖିବୁ।”

ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

ଏନ୍‌ଏଚ୍‌ଆରସି ଜେନେରାଲ ସେକ୍ରେଟାରୀ ଏସ୍‌.ଏନ୍‌. ମହାନ୍ତି କହିଛନ୍ତି, “୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ ପିଏଚ୍‌ଆର ଆକ୍ଟର ଧାରା ୧୯ ଅନୁଯାୟୀ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ମାଗିଛୁ। ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।”

ଅନ୍ୟପକ୍ଷରେ ଏହି ଘଟଣାର ଏସ୍‌ଆଇଟି ତଦନ୍ତର ତଦାରଖ କରୁଥିବା ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଆର.ଉଦୟଗିରି ଜେଲ୍‌ ଭଙ୍ଗା ଘଟଣାରେ ତତ୍‌କାଳୀନ ଗଜପତି ଏସ୍‌ପି ଥିବା ମହେନ୍ଦ୍ରଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଏବେ କନ୍ଧମାଳ ଘଟଣାର ତଦନ୍ତ ଦାୟିତ୍ୱ ସେହି ଅଫିସରଙ୍କୁ ଦେଇଛନ୍ତି। ନିଜକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏପରି କରିଛନ୍ତି।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ମହେନ୍ଦ୍ରଙ୍କ ନାଁରେ ଦୁଇଟି ପ୍ରୋସିଡିଂ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ୱ ତାଙ୍କୁ ଦେଇଛନ୍ତି। ତାଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ହେବ ବୋଲି ଆଶା କରାଯାଇ ନ ପାରେ। ଜଣାପଡୁଛି ଘଟଣାକୁ ଘୋଡାଇ ଦେବା ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର ହେଉଛି।”

ବିରୋଧୀଙ୍କର ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ନିରପେକ୍ଷ ତଦନ୍ତ ହେବ ବୋଲି କହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମହେନ୍ଦ୍ର ପ୍ରତାପ ଏକା ଏହି ଘଟଣାର ତଦନ୍ତ କରିବେ ନାହିଁ। ଏସ୍‌ଆଇଟି ଟିମ୍‌ ହେବ ଓ ନିୟମାବଳୀ ଅନୁସାରେ ତଦନ୍ତ କରାଯିବ। ମହେନ୍ଦ୍ରଙ୍କ ଇଚ୍ଛାରେ ତଦନ୍ତ ହେବ ନାହିଁ। ତଦନ୍ତରେ ଏସ୍‌ଟି କମିଶନ, ଏସ୍‌ସି କମିଶନ ଓ ଜୁଡିସିଆଲ କମିଶନ ମଧ୍ୟ ସାମିଲ ରହୁଛନ୍ତି। ତଦନ୍ତ ନିଶ୍ଚିତ ଭାବେ ନିରପେକ୍ଷ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos