ନୟାଗଡ଼ (ସ୍ୱଦେଶ ରଥ): ଘରର ବଡପୁଅ। ନାଁ ପାଇଥିଲା ମୃତ୍ୟୁଞ୍ଜୟ, ହେଲେ ମାତ୍ର ୧୧ ବର୍ଷ ବୟସରେ ହାରିଗଲା ମୃତ୍ୟୁ ପାଖରେ। ସାନପୁଅର ବୟସ ମାତ୍ର ୪ମାସ। ନାଁ ପାଇଥିଲା ବିଘ୍ନେଶ। ହେଲେ ପରିବାରର ବିଘ୍ନକୁ ଅଟକାଇ ପାରିଲା ନାହିଁ। କେମିତିବା ଅଟକାଇ ପାରିଥାନ୍ତା ଏ କଅଁଳ ବୟସରେ। ବଂର କଥା କହି ଶିଖିବା ପୂର୍ବରୁ ନିଜେ ନୀରବି ଗଲା ସବୁଦିନ ପାଇଁ।
ନୟାଗଡ ଜିଲ୍ଲା ଓଡଗାଁରୁ ଆସିଛି ଏ ଦୁଃଖଦ ଖବର। ଦୁଇ ପୁଅକୁ ବିଷ ପିଆଇ ଦେଇ ବିଷ ପିଇ ଦେଇଛି ମାଆ। ଜିଲ୍ଲା ହସପିଟାଲ୍ରେ ମାଆ ପ୍ରାଣ ହରାଇଛି। ଆଉ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅଙ୍କ ଜୀବନ ଯାଇଛି କଟକ ଶିଶୁ ଭବନରେ।
ହତ୍ୟା ପରେ ଆତ୍ମହତ୍ୟା ନା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ? ଏ ପ୍ରଶ୍ନର ଉତ୍ତର ଖୋଜୁଛି ନୟାଗଡ ପୋଲିସ୍। କାରଣ ମୃତ ମହିଳାଙ୍କ ସ୍ୱାମୀ କହୁଛନ୍ତି ସ୍ତ୍ରୀ ହିଁ ଦୁଇପୁଅକୁ କ୍ଷୀରରେ ବିଷ ମିଶାଇ ପିଆଇ ଦେଇଥିଲେ। ଏହାପରେ ସେ ନିଜେ ବିଷ ପିଇ ଦେଇଥିଲେ। ହେଲେ ସ୍ୱାମୀଙ୍କ କଥାକୁ ଏକପାଖିଆ ଭାବେ ବିଶ୍ୱାସ ନକରି ତଦନ୍ତ ଆରମ୍ଭ କରିଛି ପୋଲିସ୍।
ଯଦି ସ୍ୱାମୀଙ୍କ କଥା ସତ ହୁଏ। ତେବେ ଦୁଇପୁଅଙ୍କ ହତ୍ୟାକାରୀ କ’ଣ ମାଆ? ହତ୍ୟା କରି କ’ଣ ମାଆ ନିଜେ ଆତ୍ମହତ୍ୟା କରିଛି? ଓଡଗାଁର ଏ ଅଡୁଆ ଖିଅର ସୂତା ପାଖରେ ପହଂଚିବାକୁ ଚେଷ୍ଟା କରିଥିଲେ ଆମ ନୟାଗଡ ପ୍ରତିନିଧି ସ୍ୱଦେଶ ରଥ।
ବୁଝୁ ବୁଝୁ ପାରିବାରିକ କଳହର ଗନ୍ଧ ବାରି ପାରିଥିଲେ। ଏପରିକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ଉଭୟେ ଉଭୟଙ୍କ ଚରିତ୍ର ସନ୍ଦେହ ଭଳି ସାଂଘାତିକ କଥା ସାମ୍ନାକୁ ଆସିଥିଲା। ୧୧ବର୍ଷ ତଳେ ଲକ୍ଷ୍ମୀଧର ସାହୁଙ୍କୁ ବିବାହ କରିଥିଲେ ମୃତ ବନବାସୀ। ବିବାହର ପରବର୍ଷ ପୁଅଟିଏ ହୋଇଥିଲା। ଏହାପରେ ପରିବାର ଭିତରକୁ ଝଡ଼ ଭଳି ମାଡି ଆସିଥିଲା ସନ୍ଦେହ। ଦାମ୍ପତ୍ୟ ଜୀବନ ମଜବୁତ୍ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା। କୋର୍ଟକୁ ଯାଇଥିଲା ନିର୍ଯାତନା ମାମଲା। ଆପୋଷ ବୁଝାମଣା ପରେ ସମସ୍ତେ ଭାବିଥିଲେ ସୁଧୁରିଯିବ ଏମାନଙ୍କ ବୈବାହିକ ଜୀବନ। ୧୦ବର୍ଷର ବ୍ୟବଧାନ ପରେ ବିଘ୍ନେଶ ଆସିଥିଲା ଘରକୁ। ସତେ ଯେମିତି ସେ ହିଁ ପରିବାରର ବିଘ୍ନକୁ ବିନାଶ କରି ଖୁସି ଫେରାଇ ଆଣିବ। ହେଲେ ଆଜି ସବୁକିଛି ଓଲଟପାଲଟ ହେଇଗଲା। ଦୁଇପୁଅଙ୍କ ସହ ମାଆର ମୃତ୍ୟୁ ହେଲା।
ସ୍ୱାମୀ ଲକ୍ଷ୍ମୀଧର କହୁଛନ୍ତି ସ୍ତ୍ରୀ ହତ୍ୟା କରି ଆତ୍ମହତ୍ୟା କରିଛି। ମୃତ ମହିଳାଙ୍କ ବାପା କହୁଛନ୍ତି ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ। ହୁଏତ ସତ କ’ଣ ତଦନ୍ତ ପରେ ସାମ୍ନାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।