କଟକ: ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ମୃତ

କଟକ: କଟକ ସିଡିଏ ସେକ୍ଟର ୭ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଆଉ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ମର୍କତନଗର ଥାନା ନିକଟସ୍ଥ ଜଣଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡରରୁ ଗ୍ୟାସ୍ ଲିକ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଣି ଏହି ପରିବାର ଏହି ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି। ଘର ମାଲିକଙ୍କ ଠିକଣା ଜଣାପଡ଼ି ନାହିଁ।

ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିଲା। ତେବେ ସେତେବେଳକୁ ସବୁ ଛାରଖାର ହୋଇ ସାରିଥିଲା ଓ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା।

କଟକ ଡିସିପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳରୁ କିଛି ହାତଲେଖା କାଗଜ ଜବତ କରିଛି ପୋଲିସ୍।