କେନ୍ଦ୍ର ବଜେଟ୍‌ରେ କୃଷି, ଗମନାଗମନ ଉପରେ ଗୁରୁତ୍ୱ

jatliନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଜେଟଲୀ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଜେଟଲୀ କହିଛନ୍ତି, “ଜିଡିପି ଦରରେ ଅଭିବୃଦ୍ଧି ୭.୬ ପ୍ରତିଶତ ହୋଇଛି। ମୁଦ୍ରାସ୍ଫୀତି ହ୍ରାସ ଘଟିଛି। ବିଶ୍ୱ ଅର୍ଥନୀତି ସଙ୍କଟଜନକ ସ୍ଥିତିରେ ରହିଛି। ଏହାକୁ ସୁଯୋଗରେ ପରିଣତ କରାଯାଉଛି।” ଏହାସହ ଭାରତୀୟ ଅର୍ଥନୀତି ଭବିଷ୍ୟତ ଉଜ୍ୱଳ ବୋଲି ସେ କହିଛନ୍ତି।

ବଜେଟ୍‌ରେ ଜେଟଲୀ କୃଷି ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗ୍ରାମୀଣ ଓ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯାଇଛି। ମନରେଗା ପାଇଁ ୩୮,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ବର୍ତ୍ତମାନ ସୁଦ୍ଧା ମନରେଗା ଲାଗି ହୋଇଥିବା ସବୁଠାରୁ ଅଧିକ ଅନୁଦାନ। ବଜେଟ୍‌ରେ ଗରିବ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂଆ କର୍ମଚାରୀଙ୍କ ପାଇଁ ସରକାର ବଡ ଯୋଜନା କରିଥିବା ବେଳେ ବଜେଟ୍‌ରେ ଛୋଟ କରଦାତାଙ୍କୁ ଆଶ୍ୱସ୍ତି ମିଳିଛି।

କୃଷି ଓ ଜଳସେଚନ

୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜେଟଲୀ କହିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଫସଲ ବୀମା ଯୋଜନା ଆରମ୍ଭ କରାଯିବ। କୃଷି ପାଇଁ ୩୫,୯୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଜଳସେଚନ ଲାଗି ନାବାର୍ଡକୁ ୨୦ ହାଜର କୋଟିର ବ୍ୟୟବରାଦ କରାଯାଇଛି।ଭୂଜଳ ସଂଶୋଧନ ପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୨୦୧୬-୧୭ ବର୍ଷରେ ୨୮.୫ ଲକ୍ଷ ହେକ୍ଟର ଜମି ଜଳସେଚନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୫ ଲକ୍ଷ ଏକର ଜମିରେ ଜୈବିକ ଚାଷ କରାଯିବା ଯୋଜନା ହୋଇଛି। ସେହିପରି ଡାଲି ଜାତୀୟ ଫସଲ ଚାଷ ଲାଗି ୫୦୦ କୋଟି ଟଙ୍କା ବଜେଟ୍‌ ରଖାଯାଇଛି।

ଚାଷୀଙ୍କୁ କମ୍‌ ପ୍ରିମିୟମରେ ଫସଲବୀମା

ଫସଲବୀମା ଯୋଜନା ପାଇଁ ୫,୫୦୦ କୋଟି ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ କମ୍‌ ପ୍ରିମିୟମରେ ଫସଲ ବୀମା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଜଳସେଚନ ପାଇଁ ୧୭,୦୦୦ କୋଟି ଟଙ୍କାର ଯୋଜନା କରାଯାଇଛି। ଚାଷୀଙ୍କ ପାଇଁ ୧୫,୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି। ମରୁଡି ପ୍ରଭାବିତ ଗାଁରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଆରମ୍ଭ କରାଯିବାକୁ ସ୍ଥିର ହୋଇଛି।

ଗରିବ ପରିବାରଙ୍କ ପାଇଁ ବିଶେଷ ସୁବିଧା

ବଜେଟ୍‌ରେ ଜେଟଲୀ ଗରିବ ଲୋକଙ୍କ ସ୍ୱାର୍ଥକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଗ୍ରାମୀଣ ଓ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯାଇଛି। ବିପିଏଲ ପରିବାରଙ୍କ ପାଇଁ ସବ୍‌ସିଡି ସିଲିଣ୍ଡରର ବ୍ୟବସ୍ଥା କରାଯାଇଛି। ଗରିବ ମହିଳାଙ୍କୁ ଏଲପିଜି ସୁବିଧା ଯୋଗାଇବାକୁ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ ବହୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସ୍‌ସି/ଏସ୍‌ଟିଙ୍କ ପାଇଁ ଷ୍ଟାଣ୍ଡପ ଇଣ୍ଡିଆ ସ୍କିମ୍‌ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି।

ମନରେଗା ଲାଗି ସର୍ବାଧିକ ବ୍ୟୟବରାଦ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୮,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ସର୍ବକାଳୀନ ରେକର୍ଡ। ମନରେଗା ଯୋଜନାରେ ୫ଲକ୍ଷ ପୋଖରୀ ଖୋଳାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୧୯,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୩ବର୍ଷ ମଧ୍ୟରେ ସଡ଼କ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାମାଜିକ ମଙ୍ଗଳ ଉପରେ ଗୁରୁତ୍ୱ

୨୦୧୮ ମେ’ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୮,୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରମାଣୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୯,୦୦୦ କୋଟି ଟଙ୍କା ରଖାଯାଇଛି। ଜମିଜମା ରେକର୍ଡର ଡିଜିଟାଲାଇଜେସନ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଯୋଜନାର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୬୫୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଣିକି ଡାକଘରେ ଏଟିଏମ୍‌ ବ୍ୟବସ୍ଥା କରାଯିବ ବୋଲି ଜେଟ୍‌ଲୀ କହିଛନ୍ତି।

ଗମନାଗମନ ଉନ୍ନତି ପ୍ରତି ଧ୍ୟାନ

ଦେଶରେ ଜମନାଗମନ ଉନ୍ନତି ଉପରେ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ହାଇୱେ ନିର୍ମାଣ ପାଇଁ ୫୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।  ୧୦ ହଜାର କି.ମି. ହାଇୱେ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାସ୍ତା ଓ ରେଲୱେ ପାଇଁ ୨.୧୮ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।  ଦେଶରେ ୧୬୦ଟି ବିମାନ ବନ୍ଦରର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିଜ୍ଞାପନ ଜରିଆରେ ୧୫,୦୦୦ ହଜାର କୋଟି ଟଙ୍କା ଆୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଦେଶବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ୧ ଲକ୍ଷ ୩୦ହଜାର ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ଗରିବ ପରିବାରଙ୍କ ପାଇଁ ନୂଆ ସ୍ୱାସ୍ଥ୍ୟ ବୀମା ଯୋଜନା କରାଯାଇଛି। ସେହିପରି ପ୍ରତି ଗରିବ ପରିବାରଙ୍କୁ ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରୀୟ ଡାଏଲିସିସ୍‌ ସେମାର ଶୁଭାରମ୍ଭ କରାଯାଇଛି। ସବୁ ଜିଲ୍ଲା ହସ୍ପିଟାଲରେ ଡାଏଲିସିସ ସେବା ଆରମ୍ଭ କରାଯିବ ଓ ଶସ୍ତା ଔଷଧ ପାଇଁ ଦେଶସାରା ୩୦ହଜାର ଷ୍ଟୋର ଖୋଲାଯିବ ବୋଲି ଜେଟଲୀ କହିଛନ୍ତି।

ଶିକ୍ଷା, ଦକ୍ଷତା ଓ ନିଯୁକ୍ତି ସୃଷ୍ଟି

ବଜେଟ୍‌ରେ ସାଧାରଣ ଭାରତୀୟଙ୍କ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷାରେ ସହଯୋଗ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସ୍କୁଲ, କଲେଜ ସାର୍ଟିଫିକେଟ୍‌ ଏଣିକି ଡିଜିଟାଲ୍‌ କରାଯିବ। ୨ବର୍ଷ ଭିତରେ ଦେଶରେ ୬୨ଟି ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଖୋଲାଯିବ। ଏହାସହ ୧୫,୦୦୦ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଖୋଲାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୧୭,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ନୂଆ କର୍ମଚାରୀଙ୍କ ପାଇଁ ବିଶେଷ ସୁବିଧା

ବଜେଟ୍‌ରେ ଆୟକର ସ୍ଲାବ ଅପରିବର୍ତ୍ତିତ ରଖାଯାଇଛି। ଇପିଏଫ୍‌ ପରିସୀମାକୁ ବଢ଼ାଇ ଦିଆଯାଇଛି। ଏଥିପାଇଁ ସରକାର ୧୦୦୦ କୋଟି ଟଙ୍କାର ସରକାର ଦେବେ। ବିଶେଷ କରି ନୂଆ କର୍ମଚାରୀଙ୍କ ପାଇଁ ସରକାର ବିଶେଷ ଯୋଜନା କରିଛନ୍ତି। ନୂଆ କର୍ମଚାରୀଙ୍କ ପାଇଁ ପ୍ରଥମ ୩ବର୍ଷ ସରକାର ପିଏଫ୍‌ ଦେବାର ବ୍ୟବସ୍ଥା କରାଯାଇଛି। ସପ୍ତମ ବେତନ କମିଶନ ସୁପାରିଶ ପାଇଁ କମିଟି ଗଠନ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ, ଗୁରୁ ଗୋବିନ୍ଦ ଜୟନ୍ତୀ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍‌ରେ ଛୋଟ୍‌ କରଦାତାଙ୍କୁ ଆଶ୍ୱସ୍ତି ମିଳିଛି। ଘର ଭଡା ଖର୍ଚ୍ଚ ୨୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯାଇଛି। ୫ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୩ହଜାର ଟଙ୍କାର ରିହାତି ମିଳବ। ଏହାଦ୍ୱାରା ପ୍ରାୟ ୨ କୋଟି ଲୋକ ଉପକୃତ ହେବେ।

ଆରବିଆଇ ଆଇନରେ ପରିବର୍ତ୍ତନ ହେବନାହିଁ

ବଜେଟ୍‌ରେ ଆରବିଆଇ ଆଇନ ପରିବର୍ତ୍ତନ ହେବା ନେଇ କୌଣସି ସୂଚନା ଦିଆଯାଇନାହିଁ। ସରକାରୀ ବ୍ୟାଙ୍କ ପାଇଁ ୨୫ ହଜାର କୋଟି ଟଙ୍କା ରଖାଯାଇଛି। ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଭାଗିଦାରୀ ୫୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ  ରଖାଯାଇଛି।

ସେହିପରି କମ୍ପାନୀ ଅଧିନିୟମ ଆକ୍ଟରେ ପରିବର୍ତ୍ତନ କରାଯିବ ବୋଲି ଜେଟଲୀ କହିଛନ୍ତି। ଏଣିକି ଗୋଟିଏ ଦିନରେ କମ୍ପାନୀ ରେଜିଷ୍ଟ୍ରେସନ ହୋଇପାରିବ। ମୁଦ୍ରାବ୍ୟାଙ୍କ ପାଇଁ ୧ଲକ୍ଷ ୮୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୫୦ ଲକ୍ଷରୁ କମ୍‌ ମୂଲ୍ୟରେ ଘର କିଣା ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ବ୍ୟବସ୍ଥା କରାଯାଇଛି। କର୍ପୋରେଟ ଟ୍ୟାକ୍ସ ଧୀରେ ଧୀରେ ବନ୍ଦ କରାଯିବ ବୋଲି ଜେଟଲୀ କହିଛନ୍ତି।