କେନ୍ଦ୍ରୀୟ ଢାଞ୍ଚାରେ ଆଗତ ହେବ ରାଜ୍ୟ ବଜେଟ୍

ଭୁବନେଶ୍ୱର: ଭୁବନେଶ୍ୱର: ଏଥର କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ବଜେଟ ଆଗତ ହେବ। ପ୍ରଥମ ଥର ପାଇଁ କେନ୍ଦ୍ର ବଜେଟ ଆସିବା ପରେ ହିଁ ରାଜ୍ୟ ବଜେଟ ଆସିବ। ଏଥିରେ ଦୁଇମାସ ପାଇଁ ବ୍ୟୟ ମଞ୍ଜୁରୀ ବିଧାନସଭାରେ ପାରିତ କରାଯିବ। ପରେ ବଜେଟକୁ ଷ୍ଟାଣ୍ଡିଂ କମିଟିକୁ ପଠାଯିବ। ଷ୍ଟାଣ୍ଡିଂ କମିଟିର ମତାମତ ଆଧାରରେ ବଜେଟରେ ପରିବର୍ତ୍ତନ କରାଯାଇପାରେ ବୋଲି ଜଣାପଡିଛି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ।

ସେ ଆହୁରି କହିଛନ୍ତି, ପୂର୍ବରୁ ପ୍ଲାନିଂ କମିଶନ ଥିଲା। ବଜେଟ ଆଗରୁ ପ୍ଲାନ୍ଂ କମିଶନ ଡେପୁଟି ଚେୟାରମ୍ୟାନ ଆସି ଆଲୋଚନା କରୁଥିଲେ। ଫଳରେ କେଉଁ କ୍ଷେତ୍ରରୁ ରାଜ୍ୟ କେତେ ଅର୍ଥ ପାଇବ ପ୍ରାୟତଃ ଜଣାପଡିଯାଉଥିଲା। ଏବେ ୮ଟି ଯୋଜନା ବନ୍ଦ ହୋଇଯାଇଛି ଓ ୩୩ଟି ଯୋଜନାରେ ଅର୍ଥ କମେଇ ଦିଆଯାଇଛି। କେନ୍ଦ୍ରୀୟ ବଜେଟ ଆସିବା ପରେ କେଉଁ କ୍ଷେତ୍ରରୁ ରାଜ୍ୟ କେତେ ପାଇବ ତାହା ଜାଣିହେବ। ତେଣୁ କେନ୍ଦ୍ରୀୟ ବଜେଟ ଆସିବା ପରେ ରାଜ୍ୟ ବଜେଟ ଆଗତ କରାଯିବ। ସେହିପରି ବୈଠକରେ ମାର୍ଚ୍ଚ ୧୫ରୁ ଅଧିବେଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ବଜେଟ ସମ୍ପର୍କରେ ଆଲୋଚନା ପାଇଁ ଆଜି ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିରୋଧୀ ଦଳ ଉପମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଦଳର ବିଧାୟକ ଯୋଗ ଦେଇଥିଲେ।

ବାଚସ୍ପତି ନିରଞ୍ଜନ ପୂଜାରୀ କହିଛନ୍ତି, ସର୍ବଦଳୀୟ ବୈଠକରେ ବଜେଟି କିପରି ଉପସ୍ଥାପନ କରାଯିବ ସେ ନେଇ ଆଲୋଚନା ହୋଇଛି। କେବେ ବଜେଟ ଉପସ୍ଥାପନ କରାଯିବ ସେ ନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ। ବିଧାନସଭା ଅଧିବେଶରେ ଏ ନେଇ ସ୍ପଷ୍ଟ ହେବ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବୈଠକରେ କେବେ ବଜେଟ ଉପସ୍ଥାପନ କରାଯିବ, କେତେଦିନ ଷ୍ଟାଣ୍ଡିଙ୍ଗ କମିଟକୁ ଦିଆଯିବ ଓ କିପରି ଏହାକୁ ପାରିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାର ଓଡ଼ିଶାକୁ କେତେ ଅର୍ଥ ଦେବେ ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଜେଟ ଉପସ୍ଥାପନ କରିବେ। ତେଣୁ ଫେବୃୟାରୀ ପ୍ରଥମ ସପ୍ତାହରୁ ବସିବାକୁ ଥିବା ବିଧାନସଭା ଅଧିବେଶନ ମାର୍ଚ୍ଚ ୧୫ରେ ବସିବ।

ବିରୋଧୀ ଦଳ ନେତା ମିଶ୍ର ସମ୍ବଳ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଦେବାଳିଆ ହୋଇଯାଇଛନ୍ତି। କେନ୍ଦ୍ର ବନ୍ଦ କରିଥିବା ଯୋଜନା ନିଜ ଖର୍ଚ୍ଚରେ ଚଲାଇବେ ବୋଲି ବାହସ୍ପଟ ମାରିଥିଲେ। ଏବେ ଅର୍ଥ କେଉଁଠୁ ଆସିବ ସେହି ଚିନ୍ତାରେ ପଡିଛନ୍ତି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ନୀତି ଆୟୋଗର ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ବଜେଟ ଆଣିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ବଜେଟ ପରେ ରାଜ୍ୟ ବଜେଟ ଆସିବ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।

ଓଡ଼ିଶା, ଗୁଜରାଟ, ଉତ୍ତରପ୍ରଦେଶ ପରି କିଛି ରାଜ୍ୟ କେନ୍ଦ୍ରୀୟ ବଜେଟ ପୂର୍ବରୁ ରାଜ୍ୟ ବଜେଟ ପ୍ରସ୍ତୁତ କରୁଥିଲେ। ତେବେ ଯୋଜନା କମିଶନ ବଦଳରେ ନୀତି ଆୟୋଗ ଆସିବା ପରେ କେନ୍ଦ୍ରୀୟ ଅନୁଦାନର ସମୀକରଣ ବଦଳି ଥିବାରୁ ରାଜ୍ୟ ସରକାର ବଜେଟର ପ୍ରସ୍ତୁତିର ରଣନୀତିକୁ ବଦଳାଇଛନ୍ତି।