କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ବରଗଡ଼ ବିଜେଡି ଜିଲ୍ଲା ଶାଖାକୁ ଜବାବ ତଲବ କରିବେ ନବୀନ

cmଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାରେ ନିନ୍ଦିତ ହୋଇଥିବା ବିଜେଡି ନିଜ ଛବି ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ହେଲା ସେ ନେଇ ବିଜେଡି ଜିଲ୍ଲା ଶାଖାକୁ ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଜବାବ ତଲବ କରିବେ ବୋଲି ଜଣାପଡିଛି।

ଦଳୀୟ ଫୋରମ୍‌ରେ ଏ ଘଟଣା ସମ୍ପର୍କରେ ବିଜେଡି ଜିଲ୍ଲା ଶାଖାକୁ ଦଳ ପକ୍ଷରୁ ପଚରାଯିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ସେ କହିଛନ୍ତି, “ଘଟଣା ଯେତେବେଳେ ଘଟିଛି ଦଳର ସଭାପତି ଏହାକୁ ନିଶ୍ଚିତ ତର୍ଜମା କରିବେ। ଏ ନେଇ ଜିଲ୍ଲା ଶାଖାକୁ ସେ ପଚାରିବେ। ଦଳୀୟ ଶାଖାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ କି ତାଗିଦ୍‌ କରାଯିବ ସେ ନେଇ ସଭାପତି ନିଷ୍ପତ୍ତି ନେବେ।”

ବରଗଡ଼ରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା? କାହିଁକି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗାଗଲା ଓ ଏଥିପାଇଁ କିଏ ଦାୟୀ ବିଜେଡି ତାହାର ତନାଘନା ଆରମ୍ଭ କରିଛି।

ଅନ୍ୟପକ୍ଷରେ ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବିଜେପି ପୁଣି ଜିଲ୍ଲା ପୋଲିସ ଓ ନବୀନଙ୍କୁ ଟାର୍ଗେଟ କରିଛି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରାଗଲା ପରେ ସାଙ୍ଗେ ସଙ୍ଗେ ୩୦୭ ଦଫା ଲଗାଇ ଦିଆଗଲା। କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ପ୍ରଥମେ ଦଫା ଲଗାଯାଇ ନ ଥିଲା। ବିଜେପିର ଚାପରେ ପୋଲିସ ଦଫା ଲଗାଇଲା । ମାତ୍ର ଫରୱାର୍ଡ ବେଳେ ରିପୋର୍ଟରୁ ୩୦୭ ଦଫା କାଟି ଦିଆଗଲା। ଏ ସବୁ ଆଇନର ଖେଳ ତୃତୀୟ ମହଲାରୁ ଆରମ୍ଭ ହୋଇ ସେହିଠାରେ ଶେଷ ହୋଇଛି।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ଏପରି ଅଭିଯୋଗ ସେ (ବିଜେପି) ପୋଲିସ ପ୍ରଶାସନ ପାଖରେ ରଖିପାରିବେ, କେଉଁ ଦଫା ଲାଗିବା କଥା ଲାଗିନାହିଁ। ସେ ଅଭିଯୋଗ କଲେ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ନେବ।”