ଖଣି ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ସମ୍ଭାବନା କମ, ଚିନ୍ତାରେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ରାଜସ୍ୱ ଚିନ୍ତା ଘାରିଛି। ଗତଥର ବଜେଟର ଅକାର ପ୍ରାୟ ୮୪ ହଜାର କୋଟି ଥିଲା। ଏଥର ବଜେଟ ପ୍ରାୟ ୧ ଲକ୍ଷ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ଏପରି ସ୍ଥିତିରେ ଖଣି ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। ଏବେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ଉପରେ ଭରଷା ରଖିଛନ୍ତି।

ରାଜ୍ୟ ସରକାର ପ୍ରାକ ବଜେଟ ପାଇଁ ଦୁଇଟି ପର୍ଯ୍ୟାୟରେ ଆଲୋଚନା କଲେଣି। ଏହି ଆଲୋଚନାର ମୂଳ ଲକ୍ଷ୍ୟ ରହିଛି କିପରି ରାଜସ୍ୱ ଆଦାୟ କରାଯିବ। ସରକାରଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ଖଣି ବିଭାଗ। ୩ବର୍ଷ ହେବ ବିଭାଗ ପକ୍ଷରୁ ରାଜସ୍ୱ ଆଦାୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଏଥର ବି ସେହି ସମାନ ଅବସ୍ଥା। ଚଳିତବର୍ଷ ଖଣି ବିଭାଗ ୬ହଜାର ୬୨୬ କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଡିସେମ୍ବର ସୁଦ୍ଧା ମାତ୍ର ୩ହଜାର ୮୬୯ କୋଟି ଆଦାୟ ହୋଇଛି। ଆର୍ଥିକବର୍ଷକୁ ଆଉ ଦୁଇମାସ ବାକି ଥିବା ବେଳେ ଅବଶିଷ୍ଟ ୨ହଜାର ୭୫୫ କୋଟି ଟଙ୍କା ଆଦାୟ ହେବା ପ୍ରାୟତଃ ଅସମ୍ଭବ। ବିଶେଷ କରି ଅନ୍ତର୍ଜାତୀୟ ବଜାରରେ ଷ୍ଟିଲ ଦର କମିବା, ନିର୍ଦ୍ଧାରିତ ସମୟରେ ଖଣି ନିଲାମୀ ନ ହେବା ଓ ଖଣି ଉତ୍ତୋଳନରେ ସମସ୍ୟା ସରକାରଙ୍କ ଚିନ୍ତା ବଢାଇ ଦେଇଛି।

ଅନ୍ୟପକ୍ଷେ ଅବକାରୀ ବିଭାଗ ରାଜ୍ୟ ସରକାରଙ୍କ ଭରଷା ପାଲଟିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଅବକାରୀ ବିଭାଗ ରାଜସ୍ୱ ୬୮ ପ୍ରତିଶତ ବଢିଛି। ଏଥର ଅବକାରୀ ବିଭାଗର ଧାର୍ଯ୍ୟ ଲକ୍ଷ୍ୟ ୨୫୦୦ କୋଟି ରହିଛି। ୨ମାସ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟରେ ପଞ୍ଚିବାକୁ ବିଭାଗ ଆଶା ରଖିଛି। ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ସରକାର ବିଭନ୍ନ ସୂତ୍ରରୁ ଟଙ୍କା ଆଣୁଛନ୍ତି। ମାର୍ଚ୍ଚ ମାସ ସୁଦ୍ଧେ ଆମେ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ପାଖାପାଖିରେ ପହଞ୍ଚି ଯିବୁ ବୋଲି ସେ କହିଛନ୍ତି।

ରାଜସ୍ୱ କମିଥିବାରୁ ବଜେଟ ଉପରେ ଏହାର ପ୍ରତିକୁଳ ପ୍ରଭାବ ପଡିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ବିଜିନେସ ଷ୍ଟାଣ୍ଡାର୍ଡ ରେସିଡେଣ୍ଟ ଏଡିଟର ଦିଲୀପ ଶତପଥୀ କହିଛନ୍ତି, ସମ୍ପୂର୍ଣ୍ଣ ରାଜସ୍ୱର ୨୫ ଭାଗ ପେଟ୍ରୋଲିୟମରୁ ଆସିଥାଏ। ଯଦି ସେଥିରୁ ୨୫୦୦ କୋଟି ଟଙ୍କା ରାଜସ୍ୱ କମ ଆସିବାକୁ ଯାଉଛି, ତେବେ ମୋତେ ଲାଗୁଛି ସରକାର ନିଶ୍ଚିତ ସମ୍ବଳ ସଙ୍କଟର ସମ୍ମୁଖୀନ ହେବେ। ଏହାକୁ ପୂରଣ କରିବାକୁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡିପାରେ।