ଖୋର୍ଦ୍ଧା: ଜଟଣୀ ଲୋକୋ କଲୋନୀରେ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା/ଭୁବନେଶ୍ୱର: ପୁଣି ଜଣେ ନାବାଳିକା ହୋଇଛି ଦୁଷ୍କର୍ମର ଶିକାର। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀରେ। ମାତ୍ର ୯ ବର୍ଷର ବାଳିକାକୁ ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସଂପୃକ୍ତ ବାଳିକାକୁ ଭୁବନେଶ୍ୱରର କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତା’ ନାଁ ଅଭିରାଜ ନାୟକ।

ଏହି ଲଜ୍ଜାଜନକ ଘଟଣା ଘଟିଛି ଜଟଣୀ ଲୋକୋ କଲୋନିରେ। ଅଭିଯୋଗ ଅନୁସାରେ ଗତକାଲି ଝିଅଟି ପରିବାର ଲୋକଙ୍କ ସହିତ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଘରେ ପ୍ରବେଶ କରିଥିଲା ଅଭିରାଜ। ଝିଅଟିକୁ ସେ ଜୋରଜବରଦସ୍ତି ଉଠାଇ ନେଇଥିଲା ଘର ବାହାରକୁ। ଆଉ ଘରଠାରୁ କିଛି ଦୂରରେ ସେ ଝିଅଟି ସହିତ ଦୁଷ୍କର୍ମ କରିଥିଲା।

ପୀଡ଼ିତାର ବାପା କହିଛନ୍ତି, ଅଭିଯୁକ୍ତ କବାଟ ଖୋଲି ଘର ଭିତରକୁ ଆସିଥିଲା। ଝିଅର ମୁହଁକୁ ବନ୍ଦ କରି ସେ ନେଇ ଯାଇଥିଲା। କବାଟ ଖୋଲିବାର ଶବ୍ଦ ହୋଇ ନ ଥିବାରୁ ସେମାନେ କିଛି ଜାଣି ପାରିଲେ ନାହିଁ। ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସେ ଦାବି କରିଛନ୍ତି।

କମିଶନରେଟ୍ ପୋଲିସ୍ ଅଭିରାଜକୁ ଗିରଫ କରିଛି। ତାକୁ ତା’ ଘରୁ ଗିରଫ କରାଯାଇଥିଲା। ତା’ ନାଁରେ ପୂର୍ବରୁ ବହୁ ମାମଲା ରହିଥିବା ପୋଲିସ୍ ଜାଣିବାକୁ ପାଇଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଅଭିଯୁକ୍ତକୁ ଗିରଫ କରାଯାଇଛି। ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

ପୀଡ଼ିତାର କ୍ୟାପିଟାଲ୍ ହସପିଟାଲରେ ଚିକିତ୍ସା ଚାଲିଛି। ତାକୁ ୫ ଦିନ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ। କ୍ୟାପିଟାଲ୍ ହସପିଟାଲ୍ ନିର୍ଦ୍ଦେଶକ ଡାକ୍ତର ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି ଝିଅଟିର ଶରୀରେ କ୍ଷତ ଚିହ୍ନ ରହିଛି। ତା’ର ଚିକିତ୍ସା କରାଯାଇଛି। ସେ ଏବେ ସୁସ୍ଥ ଅଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଭୟ କଂଗ୍ରେସ ଓ ବିଜେପି ନେତା କ୍ୟାପିଟାଲ୍ ହସପିଟାଲରେ ପହଞ୍ଚି ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।