ତହସିଲଦାରଙ୍କୁ ବିଧାୟକ ମାଡ଼ ମାରିବା ଅଭିଯୋଗ, ପ୍ରତିବାଦରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଖୋର୍ଦ୍ଧା/ଭୁବନେଶ୍ୱର: ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ। ଏଡିଏମ୍‌ଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନ୍ଦୋଳନରୁ ହଟିଥିଲେ। ସେମାନେ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତହସିଲ କର୍ମଚାରୀମାନେ ଧାରଣାରୁ ଉଠିବା ପରେ ବିଜେଡି କର୍ମୀମାନେ ତହସିଲ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ ବିଧାୟକଙ୍କ ସମର୍ଥନରେ ନାରାବାଜି କରିଥିଲେ। ତହସିଲଦାର […]

prasant-jagadeb

prasant-jagadeb

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 07:29 PM IST

Sports

Latest News

prasant-jagadebଖୋର୍ଦ୍ଧା/ଭୁବନେଶ୍ୱର: ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ। ଏଡିଏମ୍‌ଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନ୍ଦୋଳନରୁ ହଟିଥିଲେ। ସେମାନେ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ତହସିଲ କର୍ମଚାରୀମାନେ ଧାରଣାରୁ ଉଠିବା ପରେ ବିଜେଡି କର୍ମୀମାନେ ତହସିଲ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ ବିଧାୟକଙ୍କ ସମର୍ଥନରେ ନାରାବାଜି କରିଥିଲେ।

ତହସିଲଦାର ନିହାରିକା ନାୟକ କହିଛନ୍ତି,“ଜବରଦଖଲ ଉଚ୍ଛେଦ କରିବା ପାଇଁ ଗତକାଲି ରାତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୋତେ ବାଧ୍ୟ କରିଥିଲେ। ସକାଳେ ମାପଚୁପ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି ମୁଁ କହିଥିଲି। ତେବେ ବିରକ୍ତ ହୋଇ ସେ ଘଟଣାସ୍ଥଳରେ ଥିବା ଏକ ଲଣ୍ଠନ ଫୋପାଡ଼ି ଦେଇଥିଲେ। ତାହା ମୋ ଦେହରେ ବାଜି ଥିଲା।”

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି,“ଏ ଅଭିଯୋଗକୁ ମୁଁ ଖଣ୍ଡନ କରୁଛି। ଏମିତି କିଛି ଘଟଣା ଘଟି ନାହିଁ। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋ ନିର୍ବାଚନମଣ୍ଡଳୀକୁ ଯାଇଥିଲି। ବାଟରେ ଏକଡାଳିଆ ନିକଟରେ ମୁଁ ଦେଖିଲି ରାସ୍ତା ଉପରେ ଏକ ଘର ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସେହି ରାସ୍ତାଟି ନିର୍ମାଣାଧୀନ ଅଛି। ଏବେ ପିଚୁ ପକାଇବା ସ୍ଥିତିକୁ ଆସିଯାଇଛି। ଦେଢ଼ ବର୍ଷ ତଳେ ଏହି ରାସ୍ତା ପାଇଁ ଆମେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ରାସ୍ତା ଉପରେ ଘରଟିଏ ଦେଖି ମୁଁ ଅଟକି ଯାଇଥିଲି। ଗାଡ଼ିରୁ ଓହ୍ଲାଇ କିଏ ଘର କରିଛନ୍ତି ବୋଲି ପଚାରିଥିଲି। ଜଣେ ବ୍ୟକ୍ତି କହିଲେ ସେ ଘରଟି କରିଛନ୍ତି। ରାସ୍ତା ଉପରେ କାହିଁକି ଘର କଲେ ବୋଲି ମୁଁ ତାଙ୍କୁ ପଚାରିଲି। ସେ କହିଲେ ସେଇଠି ତାଙ୍କ ଜାଗା ଅଛି। ତା’ପରେ ମୁଁ କହିଲି ଏଇଟା ୪୦ ବର୍ଷର ରାସ୍ତା। କାହିଁ କେବେ ତ ଆପଣ ଅଭିଯୋଗ କରି ନାହାନ୍ତି? କୌଣସି ସରକାରୀ ଅଧିକାରୀ ବା ମୋ ପାଖରେ ଆପଣ କାହିଁକି ଅଭିଯୋଗ କରି ନାହାନ୍ତି? ରାସ୍ତା ନିର୍ମାଣ ପାଇଁ ଶୁଭ ପକାଇବା ଦିନ ବି କେହି ଅଭିଯୋଗ କରି ନ ଥିଲେ ବୋଲି ମୁଁ କହିଥିଲି। କାହାରି ନିକଟରେ ଅଭିଯୋଗ ନ କରି ଏମିତି ଗୋଟେ ପଦକ୍ଷେପ କାହିଁକି ନେଲେ ବୋଲି ମୁଁ ତାଙ୍କୁ କହିଥିଲି। ସେ କିନ୍ତୁ କହିଲେ ଯେ ତାଙ୍କର ଜାଗା ଅଛି, ତେଣୁ ସେ ଘର କରିଛନ୍ତି। ତାଙ୍କର ଏଭଳି କଥାବାର୍ତ୍ତା ଶୁଣି ମୁଁ ତହସିଲଦାରଙ୍କୁ ଫୋନ୍‌ କରି ସେଠାକୁ ଡକାଇଥିଲି। ସେତେବେଳକୁ ଅପରାହ୍ନ ପ୍ରାୟ ୪ଟା ବାଜିଥିଲା।”

ସେ ଆହୁରି କହିଛନ୍ତି,“ମୋଠାରୁ ଫୋନ୍ ପାଇଁ ତହସିଲଦାର ସେଠାରେ ପହଞ୍ଚିଥିଲେ। ରାସ୍ତା ଉପରେ ଘର ଦେଖି ଏହା ଏକ ଭୁଲ ବୋଲି କହିଲେ ଓ ଘରଟିକୁ ଉଚ୍ଛେଦ କରିଦେବା ବୋଲି କହିଥିଲେ। ତା’ପରେ ଏକ ଜେସିବିକୁ ଡକାଇଥିଲୁ। ମୁଁ କହିଲି ଆଗ ରାସ୍ତା କ୍ଲିଅର ହୋଇଯାଉ। ତା’ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଜାଗା ଚିହ୍ନଟ ପାଇଁ ଆବେଦନ କରିବେ। ଜାଗା ଚିହ୍ନଟ ହେବ। ଯଦି ପ୍ରକୃତରେ ତାଙ୍କର ଜାଗା ଥିବ ତା’ହେଲେ ତାଙ୍କୁ କ୍ଷତିପୂରଣ ଦିଆଯିବ ନ ହେଲେ ରାସ୍ତାକୁ ଘୁଞ୍ଚାଇବା। ଏତିକି ନିଷ୍ପତ୍ତି ହେବା ପରେ ମୁଁ ସେଠାରୁ ଚାଲି ଆସିଲି।”

ଜଗଦ୍ଦେବ କହିଛନ୍ତି,“ସେମାନେ ଘରଟିକୁ ଉଚ୍ଛେଦ କରିପାରି ନ ଥିଲେ। ତହସିଲଦାର ମୋତେ ରାତିରେ ଫୋନ୍ କଲେ। ଉକ୍ତ ବ୍ୟକ୍ତି ସହିତ ବୁଝାମଣା କରି କିଛି ପଇସା ଦେଇ ଘରଟିକୁ ହଟାଇବାକୁ କଥାବାର୍ତ୍ତା କରିବାକୁ ତହସିଲଦାର ମୋତେ କହିଲେ ଓ ସେଠାକୁ ଡାକିଲେ। ମୁଁ ସେଠାରେ ପହଞ୍ଚିଲା ବେଳକୁ ତହସିଲଦାର ସେଠାରେ ନ ଥିଲେ। ସେହି ଘର କରିଥିବା ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଆଉ ଜଣେ ବ୍ୟକ୍ତି ସେଠାରେ ଥିଲେ। ଗୋଟିଏ ଲଣ୍ଠନ ଜାଳି ସେମାନେ ବସିଥିଲେ। ପରସ୍ପର ବୁଝାମଣା ମାଧ୍ୟରେ ସମସ୍ୟାର ସମାଧାନ କରିବାକୁ ମୁଁ ସେମାନଙ୍କୁ କହିଲି। କିନ୍ତୁ ସେମାନେ ଖରାପ ବ୍ୟବହାର ଦେଖାଇଥିଲେ। ଏଥିରେ ବିରକ୍ତ ହୋଇ ଆମର ଜଣେ ପିଲା ଲଣ୍ଠନଟିକୁ ଫୋପାଡ଼ି ଦେଲା। ସେତେବେଳକୁ ତହସିଲଦାର ସେଠାରେ ପହଞ୍ଚିଲେ। ତାଙ୍କ ଦେହରେ ଲଣ୍ଠନ ବାଜିନି। କିନ୍ତୁ ତାଙ୍କୁ ସେଇଟା ଟିକା ବାଧିଲା। ଏତିକି ହେଉଛି ଘଟଣା। ଆଉ ସବୁ ଯାହା କୁହାଯାଉଛି ତାହା ଅତିରଞ୍ଜିତ।”

ଓଏସ୍‌ଏ ସଂଘ ସଭାପତି ସରୋଜ ସାମଲ କହିଛନ୍ତି,“ଘଟଣା ସତ୍ୟ ହୋଇଥିଲେ ଅତ୍ୟନ୍ତ ନିନ୍ଦନୀୟ। ଏହା ଜଣେ ଜନପ୍ରତିନିଧିଙ୍କ ଅପରିପକ୍ୱତାକୁ ସୂଚାଉଛି। ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିବୁ। ଅବଶ୍ୟକ ପଡିଲେ ଗୃହ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ। ଏଡିଏମ୍‌ଓଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos