କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ସମନ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ବହୁଚର୍ଚ୍ଚିତ କୋଲବ୍ଲକ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଜେପି ବିଧାୟକ ଦିଲୀପ ରାୟଙ୍କୁ ସମନ ଜାରି କରିଛି। ୧୯୯୯ରେ ଦିଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଦିଲୀପ ହେଉଛନ୍ତି ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ କୋର୍ଟ ସମନ ଜାରି କରିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କ ସହ ଅନ୍ୟ ୫ ଜଣଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ।

୫ ଜଣଙ୍କ ମଧ୍ୟରେ ଅଛନ୍ତି କୋଇଲା ମନ୍ତ୍ରଣାଳୟର ପୂର୍ବତନ ଆଡିସନାଲ୍ ସେକ୍ରେଟାରୀ ପ୍ରଦୀପ କୁମାର ବାନାର୍ଜୀ, କାଷ୍ଟ୍ରୋନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ପ୍ରମୁଖ। ଦିଲୀପ ରାୟଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୧୨୦ ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ ଠକେଇ ଓ ୪୦୯ ଅନୁସାରେ ସମନ ଜାରି କରିଛନ୍ତି କୋର୍ଟ।

୧୯୯୯ରେ ଝାଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ। ଏହି କମ୍ପାନୀର ମାଲିକ ହେଉଛନ୍ତି ବିଜେପିର ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତଃ ପି.କେ ଅଗ୍ରୱାଲ୍। ତେବେ ପାଖରେ ଜନବସତି ଥିବାରୁ ଓ ୱାଟର ଚ୍ୟାନେଲିଂରେ ସମସ୍ୟା ଥିବାରୁ ଏମପାୱାରଡ କମିଟି ପ୍ରଥମେ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସେତେବେଳେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲୀପ ରାୟ। ଦିଲୀପ ରାୟ ଏହାର ପୁନଃବିଚାର ପାଇଁ କମିଟିକୁ ଅନୁରୋଧ କରିଥିଲେ। ଏମପାୱାରଡ କମିଟିର ସୁପାରିଶ ଆଧାରରେ ୧୯୯୯ ସେପଟେମ୍ୱର ୧ରେ ବ୍ରହ୍ମଡିହା କୋଲବ୍ଲକ କାଷ୍ଟ୍ରୋନ ମାଇନିଂ ଲିମିଟେଡକୁ ପ୍ରଦାନ କରାଯାଇଥିଲା। ତେବେ ୨୦୧୨ରେ କୋଲବ୍ଲକର ବିକାଶ ହୋଇ ନ ଥିବା ଦର୍ଶାଇ ଆବଣ୍ଟନ ରଦ୍ଦ କରିଥିଲେ ୟୁପିଏ ସରକାର। ପରେ ଏ ନେଇ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। କାରିଆ ମୁଣ୍ଡା କ୍ୟାବିନେଟ ଓ ଦିଲୀପ ରାୟ ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଘରୋଇ କମ୍ପାନୀକୁ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା।

ବିଧାୟକ ଦିଲୀପ ରାୟ କହିଛନ୍ତି ‘କୋଇଲା ଦୁର୍ନୀତି ନେଇ ମତେ ପଠାଯାଇଥିବା ସମନ ତାଜୁବ କରିଛି। କ୍ରାଷ୍ଟନ ମାଇନ୍ସ ଆବଣ୍ଟନରେ ମୋର ଭୂମିକା ନ ଥିଲା। ସୁରକ୍ଷା ଦୃଷ୍ଟିରୁ ସ୍କ୍ରିନିଂ କମିଟି ଖଣି ଦେବାକୁ ମନା କରିଥିଲେ। ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କୁ ପୁନଃବିଚାର ପାଇଁ ଚିଠି କରିଥିଲି। ଟେକନିକାଲ୍ କମିଟି ସୁପାରିଶ ଆଧାରରେ କ୍ରାଷ୍ଟନଙ୍କୁ ଖଣି ମିଳିଥିଲା। ସ୍କ୍ରିନିଂ କମିଟି ସ୍ୱାଧୀନ ସଂସ୍ଥା,ଏଥିରେ କୌଣସି ମନ୍ତ୍ରୀଙ୍କ ହାତ ନ ଥାଏ। ସମନ ପଛରେ କିଛି ରାଜନୈତିକ ଷଡ଼ଯନ୍ତ୍ର ଥିବା ପରି ଲାଗୁଛି।’

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଆଇନ ତା’ ବାଟରେ ଯିବ। ଯଦି କିଛି ଘୋଟାଲା ହୋଇଥିବ ଆଇନ ତା’ ବାଟରେ ଯିବ।

ବିଜେପି ବରିଷ୍ଠ ନେତା ସାଜନ ଶର୍ମା କହିଛନ୍ତି, ବିଜେଡିର ସାଂସଦ ଓ ବିଧାୟକମାନେ ଆଜି ବି ଭିତରେ ଅଛନ୍ତି। ତେଣୁ ବିଜେଡିରୁ କିଛି ଶିଖିବାର ନାହିଁ। ଯଦି ସମନ ଜାରି ହୋଇଛି, ଆଇନ ପ୍ରକ୍ରିୟା ଜାରି ରହିଛି ସେଥିରୁ ଦିଲୀପ ରାୟ ନିର୍ଦ୍ଦୋଶରେ ଖଲାସ ହେବ ବୋଲି ଆଶା କରୁଛୁ।

ପୂର୍ବରୁ ତଳବିରା କୋଲବ୍ଲକ ଆବଣ୍ଟନକୁ ନେଇ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା। ୨୦୦୫ରେ ହିଣ୍ଡାଲକୋକୁ ପ୍ରଦାନ କରାଯାଇଥିବା ଏହି କୋଲବ୍ଲକ ଆବଣ୍ଟନରେ ବିବାଦ ଘେରକୁ ଆସିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ଆସିଥିଲା ଚର୍ଚାକୁ। ତେବେ ନବୀନଙ୍କୁ କୋର୍ଟ କ୍ଲିନଚିଟ୍ ଦେଇଥିବା ବେଳେ ମନମୋହନଙ୍କୁ କୋର୍ଟଙ୍କ ସମନ ଉପରେ ରହିତାଦେଶ ଦେଇଥିଲେ ସୁପ୍ରିମକୋର୍ଟ।