କୋଣାର୍କ: ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ଜାରି ହେଲା ସାମୁଦ୍ରିକ କଟକଣା

କୋଣାର୍କ: ପୁରୀ ଜିଲ୍ଲା ଉପକୂଳରେ ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ଆଜିଠୁ ସାମୁଦ୍ରିକ କଟକଣା ଜାରି ହୋଇଛି। ବନ ବିଭାଗ ଓ ସାମୁଦ୍ରିକ ମତ୍ସ ବିଭାଗ ତରଫରୁ ଲାଗୁ ହୋଇଥିବା ଏହି କଟକଣା ଆସନ୍ତା ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ମେରାଇନ୍ ଫିସିଙ୍ଗ୍ ଆକଟ ବା ଓମଫ୍ରା ଆଇନ ଅନୁଯାୟୀ ବିଭାଗ ତରଫରୁ ଏହି କଟକଣା ଲଗାଯାଇଛି।

ଫଳରେ ଏହି ସମୟରେ ମତ୍ସଜୀବୀମାନେ ପୁରୀ ଜିଲ୍ଲା ବାଲିହରଚଣ୍ଡୀଠାରୁ ଅସ୍ତରଙ୍ଗ ଦେବୀନାସୀ ପର୍ଯ୍ୟନ୍ତ ଉପକୂଳରୁ ୫ କିଲୋମିଟର ମଧ୍ୟରେ ମୋଟର ଚାଳିତ ଡଙ୍ଗାରେ ମାଛ ମାରି ପାରିବେ ନାହିଁ। ଏହାସହ ଗଲ ନେଟ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଦେବୀ ନଦୀ ମୁହାଣର ୨୦ କିଲୋମିଟର ମଧ୍ୟରେ ଟ୍ରଲର ଓ ମୋଟର ଚାଳିତ ଡଙ୍ଗାରେ ମାଛ ଧରିବାକୁ ନିଷେଧ କରାଯାଇଛି।

ସାମୁଦ୍ରିକ କଇଁଛ ଓ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ଦେବୀ ମୁହାଣ, ଦେବୀ ନାସୀ, ଦେବୀ ନଦୀ ଦ୍ୱିପାଞ୍ଚଳ, ଯାହାନିଆ, ଦାଲୁଅକଣି, ଚନ୍ଦ୍ରଭାଗା, ରାମଚଣ୍ଡୀ ଭଳି ୧୩ଟି ସ୍ଥାନରେ ଅନ୍ ସୋର କ୍ୟାମ୍ପ କରାଯାଇଛି। ଏହାସହ ଦେବୀ ନଦୀ ମୁହାଣରେ ଏକ ଅଫ୍ ସୋର କ୍ୟାମ୍ପ ମଧ୍ୟ କରାଯାଇଛି। ଅଫ୍ ସୋର କ୍ୟାମ୍ପରେ ମାଛମରାକୁ ରୋକିବା ପାଇଁ ସାମୁଦ୍ରିକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସେହିଭଳି ଅଣ୍ଡାଗୁଡିକରୁ ସୁରକ୍ଷିତ ଭାବେ ଛୁଆ ଫୁଟିବା ପାଇଁ ଦେବୀ ନାସୀ, ଯାହାନିଆ, କଂଅରପୁର ଓ ଚନ୍ଦ୍ରଭାଗା ଭଳି ୪ଟି ସ୍ଥାନରେ ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି ।